Jatia

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ

ରାଜ୍ୟ

ବାରିପଦା – ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଏବଂ ସେବା ଯୋଜନାର ସ୍ନାତକୋତ୍ତର ଶାଖା ଆନୁକୁଲ୍ୟରେ ଅପରେସନ ସିନ୍ଦୂରର ସଫଳତା ଅବସରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବାରିପଦା ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ସୋରେନ ଏବଂ କୁଳପତି ପ୍ରଫେସର ତ୍ରିପାଠୀ ପତାକା ଦେଖାଇ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ପ୍ରାୟ ତିନିଶହ ମିଟର ଲମ୍ବର ଜାତୀୟ ପତାକାକୁ ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ସକାଳ ଆଠଘଣ୍ଟା ସମୟରେ ବିଶ୍ବବିଦ୍ୟାଳୟ ପରିସରରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ତକତପୁର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଦେଶଭକ୍ତିର ସ୍ଲୋଗାନ ସହ ପରାକ୍ରମଶାଳୀ ଭାରତୀୟ ଯୋଦ୍ଧା ମାନଙ୍କର ଅପରେସନ ସିନ୍ଦୂରର ଅପୂର୍ବ ସଫଳତା ଓ ବୀରତ୍ୱକୁ ସମବେତ ସ୍ବରରେ ଗାନ କରାଯାଇଥିଲା। ଶୋଭାଯାତ୍ରାରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କୁଳସଚିବ ସୁମିତା ସିଂ, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ସୁବ୍ରତ କୁମାର ରଣା, ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ, ବିଶ୍ବବିଦ୍ୟାଳୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଅନାମ ଚରଣ ରାଉଳ, ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଏବଂ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା ପ୍ରମୁଖ ପଦଯାତ୍ରାରେ ସମ୍ମିଳିତ ହୋଇଥିଲେ। ଏଥିସହିତ ବାରିପଦା ଡିଗ୍ରୀ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଏମ୍ ସି ଏ ଏମ୍ ପ୍ରଭୃତି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏହି ପରାକ୍ରମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Shrutilipi ad