ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ “ଭାରତକୁ ବୁଝିବା: ଭାରତୀୟ ନୀତି ଏବଂ ଜ୍ଞାନ ପ୍ରଣାଳୀ” ଶୀର୍ଷକ ଏକ ଗୁଣାତ୍ମକ ଶିକ୍ଷକ ବିକାଶ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ପୃଷ୍ଠପୋଷକ ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଭାରତର ଜ୍ଞାନ ପରମ୍ପରା ଅତୁଳନୀୟ । ଏହାକୁ ସମ୍ମାନ ଦେଇ ମିଳିତ ଜାତିସଂଘ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ ଭଳି ମହାମାନବିକ ମନ୍ତ୍ରଧ୍ୱନିକୁ ସ୍ୱୀକୃତି ଦେଇଛି । ସମସାମୟିକ ଶିକ୍ଷାଶାସ୍ତ୍ରରେ ସ୍ୱଦେଶୀ ଜ୍ଞାନ ପ୍ରଣାଳୀକୁ ସଂହତ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିବା ସହ ଭାରତୀୟ ବୌଦ୍ଧିକ ପରମ୍ପରାକୁ ପୁନର୍ଜୀବିତ କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଭାରତୀୟ ଦର୍ଶନର ସ୍ଥାୟୀ ପ୍ରାସଙ୍ଗିକତା ଏବଂ ନୈତିକ ଶାସନ ଏବଂ ଜ୍ଞାନ ସୃଷ୍ଟିରେ ଏହାର ଅବଦାନ ଭାରତକୁ ବିଶ୍ୱଗୁରୁରେ ପରିଣତ କରିଛି ବୋଲି କହିଥିଲେ । ଭାରତୀୟ ଜ୍ଞାନ କୌଣସି କାଗଜ ସାର୍ଟିଫିକେଟ୍ର ସ୍ୱୀକୃତିର ଅପେକ୍ଷା ରଖେନାହିଁ ବୋଲି ସେ କହିଥିଲେ । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି ଭାବେ ଭାରତକୁ ବିଶ୍ୱର ସମସ୍ତ ଜ୍ଞାନର ଏନ୍ତୁଡ଼ିଶାଳ ତଥା ପ୍ରାଣକେନ୍ଦ୍ର ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକ ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆବାହକ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ସୁକାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମର ଅନ୍ୟତମ ଆବାହିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଶିକ୍ଷକ ବିକାଶ କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱଳ ଜାନା, ଜଗତ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଡ. ଏସ୍. ରାମରତ୍ନମ୍, ଆଇଆଇଟି ମାଣ୍ଡିର ଡ. ବରୁଣ ଦତ୍ତ, ସତ୍ନା ଏକେଏସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ରାମଲଖନ ସିଂ ଶିକାରୱର, ସିନ୍ଧୁ ବିଶ୍ୱବିଦ୍ୟାଳୟର ଡ. ଅନୀଲ ସୁରି, କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବ୍ରତ ଶଙ୍କର ବାଗଚୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଫେସର ସୁଧାକର ପାତ୍ର, ଆଇଆଇଟି ଖଡଗପୁରର ପ୍ରଫେସର ରିଚା ଚୋପ୍ରା, କଲିକତାର ସହକାରୀ ପେଟେଣ୍ଟ୍ ନିୟନ୍ତ୍ରକ ଡ. ଧୀରେନ୍ ପଟ୍ଟନାୟକ, ଧରଣୀଧର ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟବ୍ରତ ମିଶ୍ର, କଲିକତା ଏନ୍ଆଇଟିଆର୍ର ନିର୍ଦ୍ଦେଶକ ପ୍ରଫେସର ଦେବୀ ପ୍ରସାଦ ମିଶ୍ର, କଲିକତା ଇଜେଡ୍ସିସିର ଡ. ତାପସ ସାମନ୍ତରାୟ, ସିଏସ୍ଆଇଆର୍ ନୂଆଦିଲ୍ଲୀର ଡ. ବିଜୟଲକ୍ଷ୍ମୀ ଅସ୍ଥାନା, ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମ୍. ହିମବିନ୍ଦୁ ପ୍ରମୁଖ ବକ୍ତବ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ସମୁଦାୟ ୧୩୬ଜଣ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସହ-ଆବାହକ ତଥା ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଓ ସହ-ଆବାହିକା ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ସ୍ୱରୁପାନନ୍ଦ ବିଷୟୀ, ଡ. ଜନ୍ମେଞ୍ଜୟ ନାୟକ, ଡ. ସୀତାରାମ ଦାସ, ଡ. ଶାନ୍ତିସ୍ୱରୁପ ବସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

