ଆଗରପଡ଼ା :ଗତ ୯ତାରିଖ ଶୁକ୍ରବାର “ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୨ବର୍ଷ ବିତିଲା;ରୋଗୀସେବା ଦାଇତ୍ୱ ରେ ଆୟୁଷ ଡ଼ାକ୍ତର”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୯୯୨ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୨ ବର୍ଷ ବିତିଯାଇଥିବା ବେଳେ ସୁଦ୍ଧା ଏଠାରେ ଲାଗି ରହିଥିବା ଡ଼ାକ୍ତର ସମସ୍ୟାର ସମାଧାନ ପ୍ରତି ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ବୋଲି ଦୈନିକ ‘ସକାଳ’ରେ ଖବର ପ୍ରକାଶ ପାଇଥିଲା । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ;ଶିଶୁ ବିଭାଗ ବିଶେଷଜ୍ଞ,ସ୍ତ୍ରୀ ଓ ପ୍ରସୁତି ବିଭାଗ, ଅସ୍ତ୍ରୋପଚାର ବିଭାଗ ବିଶେଷଜ୍ଞ ଡ଼ାକ୍ତର ଥିବା ବେଳେ ଏଠାରେ ନିଯୁକ୍ତି ପାଇଥିବା ଜଣେ ମାତ୍ର ଏମବିବିଏସ ଡ଼ାକ୍ତର ସ୍ୱାସ୍ଥ୍ୟ କେନ୍ଦ୍ରର ଦାଇତ୍ୱ ନିର୍ବାହ କରୁଛନ୍ତି । ଏହିପରି ସ୍ଥଳେ ବର୍ତ୍ତମାନ ଶିଶୁ ବିଭାଗ ବିଶେଷଜ୍ଞଙ୍କୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ଡ଼େପୁଟେସନରେ ପଠାଯାଇଥିବା ଜଣାପଡ଼ିଛି । ତେଣୁ ଡ଼ାକ୍ତର ସମସ୍ୟା ଯୋଗୁଁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିବିଭାଗରେ ପ୍ରତିଦିନ ୪୦୦ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଛନ୍ତି । ଏହିପରି ସ୍ଥଳେ ଡ଼ାକ୍ତର ସମସ୍ୟା ଯୋଗୁଁ ଆୟୁଷ ଡ଼ାକ୍ତର ରୋଗୀ ସେବା କରୁଛନ୍ତି । ସେହିପରି ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ତ,ଅଡ଼ାଳପଙ୍କ,କାଦବରାଙ୍ଗ ଓ କେନ୍ଦୁଆପଦା ଅନ୍ତର୍ଭୂକ୍ତ । କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷଙ୍କ ଭରଷାରେ ଚାଲିଥିବା ବେଳେ ଅଡ଼ାଳପଙ୍କରେ ଜଣେ ଏମବିବିଏସ(ଠିକା) ଓ ଜଣେ ଆୟୁଷ,କେନ୍ଦୁଆପଦାରେ ଜଣେ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ବେଳେ ସେ ସବୁ ସମୟରେ ଛୁଟିରେ ରହୁଥିବାରୁ ଆୟୁଷଙ୍କ ହାତରେ ରୋଗୀ ସେବା ଚାଲିଛି ସେଯିପରି ବନ୍ତରେ ଜଣେ ଏମବିବିଏସ ଓ ଜଣେ ଆୟୁଷ ଡ଼ାକ୍ତର ନିଯୁକ୍ତି ପାଇଛନ୍ତି । ମୋଟାମୋଟି ଭାବେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ତା ଅଧିନରେଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ସମସ୍ୟା ଲାଗି ରହିଛି । ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତି ଭୂମିରେ ସୁଧାର ଆଣିବା ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ଅର୍ଥରେ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ଉନ୍ନତିର କାର୍ଯ୍ୟ ଚାଲିଥିବା ବେଳେ ଆବଶ୍ୟକୀୟ ଡ଼ାକ୍ତର ନିଯୁକ୍ତି ନକଲେ ଏହା ମୂଲ୍ୟହୀନ ହୋଇପଡ଼ିବା ସାର ହେବା ସହ ପ୍ରାଥମିକ ସ୍ୱାସ୍ୟ କେନ୍ଦ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

