ଆଗରପଡ଼ା :ଡ୍ରପ୍ ଆଉଟ ଶିକ୍ଷାର୍ଥୀଙ୍କୁ ମୁଖ୍ୟସ୍ରୋତରେ ପୁଣି ସାମିଲ କରିବା ପାଇଁ ସରକାର ଏକ ସର୍ଭେ କରିଥିଲେ । ଏହା ମେ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ ସାମିଲ ହୋଇଥିଲେ । କେଉଁ କାରଣରୁ ଅଧାରୁ ପାଠ ପଢ଼ା ଛାଡ଼ିଲେ ଶିକ୍ଷାର୍ଥୀ ତାର କାରଣ ଖୋଜିଥିଲେ ଶିକ୍ଷକ । ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ୟୁଡାଇଏସ୍ ତଥ୍ୟ ଅନୁସାରେ ରାଜ୍ୟରେ ପାଖାପାଖି ୪୮ ହଜାର ୪୪ ଜଣ ପିଲା ଡ୍ରପ୍ ଆଉଟ୍ ଥିବା ସୂଚନା ମିଳିଥିଲା । ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ ହୋଇଥିବା ସର୍ଭେରୁ ହସ୍ତଗତ ହୋଇଥିବା ସୂଚନାଅନୁଯାୟୀ ଜିଲ୍ଲାର ୭ ଗୋଟି ବ୍ଳକ ମଧ୍ୟରୁ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ କେହିହେଲେ ଜଣେ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ନଥିବା ବେଳେ ଚାନ୍ଦବାଲି ବ୍ଲକରେ ୩୧ ଜଣ,ବାସୁଦେବପୁର ବ୍ଳକର ୧୮ଜଣ,ଭଦ୍ରକ ବ୍ଲକରେ ୨୮ଜଣ,ତିହିଡ଼ି ବ୍ଲକରେ ୬୯ଜଣ ଥିବା ବେଳେ ବନ୍ତ ବ୍ଲକରେ ସର୍ବାଧିକ ୩୭୭ଜଣ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଥିବା ଜଣାପଡ଼ିଛି । ଜିଲ୍ଲାରେ ସମୁଦାୟ ୫୨୩ଜଣ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଚିହ୍ନଟ ହୋଇଥିବା ବେଳେ ୩୭୭ଜଣ ବନ୍ତ ବ୍ଳକର ବୋଲି ଜଣାପଡ଼ିଛି । ବନ୍ତ ବ୍ଳକର ୨୫ଟି ପଂଚାୟତ ପାଇଁ ୧୮ ଜଣ ସିଆରସିସି ନିଯୁକ୍ତି ହୋଇଥିଲେ । ୧୮ ଜଣ ସିଆରସିସିଙ୍କ ମଧ୍ୟରୁ ବିଟିପୁର ପଂଚାୟତ ତଥା ତୋଫାବିବି କ୍ଲଷ୍ଟର ସିଆରସିସିଙ୍କ ସୂଚନା ଅନୁଯାୟୀ ଉକ୍ତ କ୍ଲଷ୍ଟରରେ ୬୫ଜଣ ଶିକ୍ଷକ ସର୍ଭେରେ ନିଯୁକ୍ତି ହୋଇଥିବା ବେଳେ ୫୬ଜଣ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଚିହ୍ନଟ ହୋଇଥିଲେ ତନ୍ନମଧ୍ୟରୁ ଧାନଘର ଗ୍ରାମରେ ୨୨ଜଣ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଥିବା ଜଣାପଡ଼ିଛି ।
ଏଠାରେ ପ୍ରକାଶ ଥାଉକି;୨୦୨୦ ମାର୍ଚ୍ଚ ମାସରେ ସରକାର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେଇଥିଲେ । ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇଥିବାରୁ ନିର୍ମାଣାଧିନ ସ୍ଥାନରେ ପିଲାମାନେ ପଢିବାପାଇଁ ସୁଯୋଗ ମିଳୁବୋଲି ଦାବି କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟରେ ମାମଲା ବିଚାରାଧିନଥିବା ବେଳେ ଗ୍ରାମବାସୀ ତଥା ଅଭିଭାବକ ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ୨୨ଜଣ ଛାତ୍ରଛାତ୍ରୀଙ୍କୁ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟକୁ ଛାଡୁ ନଥିବାରୁ ସେମାନେ ବର୍ତ୍ତମାନ ଶିକ୍ଷାରୁ ବଂଚିତ ହେବାସହ ଡ୍ରପ୍ ଆଉଟ୍ ଶିକ୍ଷାର୍ଥୀ ଭାବେ ବିବେଚିତ ହେଉଥିବା ଜଣାପଡ଼ିଛି ।

