Photo for the news of purusandha panchayat

ବିକାଶ ଆଢୁଆଳରେ ପୁରୁଷଣ୍ଢ ଗ୍ରାମ: ଯୋଜନାକୁ ୯ବର୍ଷ ପୂରିଲା, କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବଦଳିଲାନି ଭାଗ୍ୟ

ରାଜ୍ୟ

ଆଗରପଡ଼ା :ସାଂସଦ ପୋଷ୍ୟଗ୍ରାମ ଗ୍ରହଣ ଯୋଜନାକୁ ୯ ବର୍ଷ ପୁରି ସାରିଥିଲେ ସୁଦ୍ଧା ଗ୍ରାମକୁ ବିକାଶ ଛୁଇଁ ପାରିଲାନି । ଅଧୁରା ରହିଗଲା ସାଂସଦଙ୍କ ଆଦର୍ଶ ଗ୍ରାମ ଗଠନ ଯୋଜନା । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଅଧୁରା ରହିଗଲା ବିକାଶ । କେବଳ କାଗଜପତ୍ରରେ ରହିଗଲା ବିକାଶ ଯୋଜନା । ଗତ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ଏବଂ ଉକ୍ତ ଗ୍ରାମର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ନିଜ ହାତ ପାଣ୍ଠିରୁ ଅର୍ଥ ମଧ୍ୟ ମଂଜୁର କରିଥିଲେ । ସେ ଆଜି ଧରା ପୃଷ୍ଠରେ ନାହାନ୍ତି କି ତାଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇପାରି ନାହିଁ । ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଗତ ୨୦୧୬ ମସିହା ଡ଼ିସେମ୍ବର ମାସ ୨୧ ତାରିଖରେ ସାଂସଦଙ୍କ ହାତ ପାଣ୍ଠି ଅର୍ଥରେ ଲୋକାର୍ପିତ ହୋଇଥିଲା ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫୩ ଗୋଟି ଆଲୋକ ସ୍ତମ୍ଭ ଲୋକାର୍ପଣ କରାଯାଇଥିଲା । ତେବେ ରକ୍ଷଣାବେକ୍ଷଣ ଅଭାବରୁ ଧିରେ ଧିରେ ଏହି ଆଲୋକ ସ୍ତମ୍ଭରୁ ହାତ ଗଣତି କିଛି ସ୍ତମ୍ଭକୁ ଛାଡ଼ି ଦେଲେ ଆଉ ସବୁ ସ୍ତମ୍ଭ ଏବେ ଅକାମି ହୋଇ ପଡ଼ିଥିବା ବେଳେ ଅନ୍ଧାରରେ ବୁଡ଼ି ରହିଥିଲା ସାଂସଦଙ୍କ ପୋଷ୍ୟଗ୍ରାମ ପୁରୁଷଣ୍ଢ । ପରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ନିଜସ୍ୱ ପାଣ୍ଠିରୁ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ଲକ୍ଷ,ସିଟି ସ୍କୁଲ ଠାରୁ କେସିଭିଏମ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ଲକ୍ଷ ଓ କେସିଭିଏମ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷଟଙ୍କା ଏହିପରି ୧୯ଲକ୍ଷ ଟଙ୍କା ଖର୍ଚ୍ଚରେ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସ୍ୱର୍ଗତ ସାଂସଦଙ୍କ ପାଣ୍ଠିରୁ ୯୦ଲକ୍ଷ ବ୍ୟୟ ଅଟକଳରେ ଲୋକାର୍ପିତ ଆଲୋକ ସ୍ତମ୍ଭ ଓ ପୋଷ୍ୟଗ୍ରାମ ଆଲୋକୀକରଣ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିଥିଲା । ଗତ ୨୦୧୭ ମସିହାରେ ପଂଚାୟତ ପୁର୍ନଗଠନ ପରେ ପୁରୁଷଣ୍ଢରୁ ଭାଗ ହୋଇ ବିଟିପୁର ଏକ ନୂତନ ପଂଚାୟତ ହୋଇଥିବା ସତ୍ୱେ ପୁରୁଷଣ୍ଢ ପଂଚାୟତରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ରାସ୍ତାଘାଟ, ପରିମଳ ଏବଂ ପାନୀୟଜଳ ସମସ୍ୟା ଆଜିବି ଉତ୍କଟ ଥିବାର ଅଭିଯୋଗ ହେଉଛି । ରାଉତରାପୁର ଦେହୁରୀସାହୀ-ମହାନ୍ତିପଡ଼ା ଓ ହଳଦିପହଣୀ ସ୍କୁଲ ଠାରୁ ଗ୍ରାମକୁ ସଂଯୋଗୀକରଣ ସେତୁ, ଦମଦମା ଓ ନୂଆପୋଖରୀ ପଡ଼ିଆକୁ ମିନି ଷ୍ଟାଡ଼ିୟମ, ଚିଲଡ୍ରେନ ପାର୍କ, ଡ୍ରେନେଜ ବ୍ୟବସ୍ଥା, ଉଠାଜଳସେଚନ ବ୍ୟବସ୍ଥା, ବସଷ୍ଟାଣ୍ଡ, ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗ ମଧ୍ୟରୁ ବସ୍‌ଷ୍ଟାଣ୍ଡ ନିର୍ମାଣ ସଂପୂର୍ଣ୍ଣ ହୋଇ ଥିଲେ ସୁଦ୍ଧା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ ଅନ୍ୟସବୁ ପ୍ରସଙ୍ଗ କେବଳ ପ୍ରସଙ୍ଗରେ ରହିଯାଇଛି । ୨୦୨୦-୨୧ ଆର୍ôଥକ ବର୍ଷରେ ଗରୀବ କଲ୍ୟାଣ ରୋଜଗାର ଯୋଜନାରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟତ ସଂସ୍ଥା ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତର ପଂଚାୟତ ଭବନ ନିର୍ମାଣ ନିମନ୍ତେ ୫ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ଏହାର ନିର୍ମାଣ ଲକ୍ଷ୍ୟ ସ୍ଥଳରେ ପହଂଚିପାରୁନଥିବାବେଳେ ନିର୍ମାଣାଧିନ କଲ୍ୟାଣମଣ୍ଡପ ଜନ କଲ୍ୟାଣରେ ଲାଗିବା ପୂର୍ବରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି । ସବୁ ଠାରୁ ବଡ଼ କଥା ହେଲା ଏଠାରେ ଥିବା ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ଆଗରପଡ଼ା କୃଷ୍ଣଚରଣ ବିଦ୍ୟାମନ୍ଦିର ପୁନରୁଦ୍ଧାରରେ ମାନ୍ୟବର ସାଂସଦ ନିଜ ହାତ ପାଣ୍ଠି ଅର୍ଥରୁ ଏକ କାଳୀନ ୧ କୋଟି ୯ ଲକ୍ଷ ୭୦ହଜାର ଟଙ୍କା ମଂଜୁର କରିଥିଲେବି ଏହା ଏକ ପୂର୍ଣ୍ଣାଙ୍ଗ ବିଦ୍ୟାମନ୍ଦିରରେ ପରିଣତ ହେବାକୁ ବହୁ ବର୍ଷ ଲାଗିଯାଇଥିଲା । ଆଦର୍ଶ ଗ୍ରାମ ଗଠନ କ୍ଷେତ୍ରରେ କୋଟି କୋଟି ଟଙ୍କା ମଂଜୁରି ସତ୍ତ୍ୱେ ପୋଷ୍ୟଗ୍ରାମର ବିକାଶ ସାଧିତ ହୋଇ ନପାରିବା ବିଭାଗୀୟ ଅଧିକାରୀ ଏବଂ ଜନନେତାଙ୍କ ସମେତ ଘଟଣା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ଏଥିଲାଗି ପୋଷ୍ୟ ଗ୍ରାମବାସିନ୍ଦା ଯୋଜନା କାର୍ଯ୍ୟକାରୀ କରୁଥିବା ସରକାରୀ କଳର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଅଧପନ୍ତରିଆ ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟିତ ହେବାକୁ ଦାବି କରିଛନ୍ତି । ତେଣୁ କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବିକାଶ ଆଢୁଆଳରେ ରହିଯାଇଥିବା ପୁରୁଷଣ୍ଢ ପଂଚାୟତର ବିକାଶ ପାଇଁ ରାଜନେତାଙ୍କ ସମେତ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad