ଉଚ୍ଛେଦ ବନ୍ଦ ନ ହେଲେ ଆତ୍ମହତ୍ୟା ଧମକ

ରାଜ୍ୟ

ଆଗରପଡ଼ା :ସ୍ଥାନୀୟ ସରକାରୀ ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଥିବା ନିର୍ଦ୍ଦିଷ୍ଟ କିଛି ଉଠା ଦୋକାନ ଉଚ୍ଛେଦ ବନ୍ଦ ନ ହେଲେ ଦୋକାନୀଙ୍କ ପରିବାର ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଏହି ସଂପର୍କରେ ମଧ୍ୟ ମୁଖ୍ୟମଂତ୍ରୀ, ରାଜସ୍ୱ ମଂତ୍ରୀ, ଜିଲ୍ଲାପାଳ, ସାଂସଦ, ବିଧାୟକ,ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ସୂଚନାନୁଯାୟୀ, ଆଗରପଡ଼ା ବଜାର ସଂଲଗ୍ନ ବିଟିପୁର ଗ୍ରାମ୍ୟ ରାସ୍ତା ସମ୍ମୁଖରେ କିଛି ଶିକ୍ଷିତ ବେକାର ଯୁବକ ଉଠା ଦୋକାନମାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯିବାକୁ ସରକାରୀ ନିୟମ ରହିଛି । ମାତ୍ର ସେପରି କରା ନ ଯାଇ ଏହି ଉଠା ଦୋକାନଗୁଡ଼ିକ ଉଚ୍ଛେଦ ପାଇଁ ତହସିଲଦାର ନୋଟିସ୍ କରିଛନ୍ତି । ଆଗରପଡ଼ା-ବଉଳା ପିଡବ୍ଲ୍ୟୁଡି ରାସ୍ତା ସଂଲଗ୍ନ ସରକାରୀ ଖାତା ନଂ-୨୭୦, ପ୍ଲଟ ନଂ-୭୦୭, ଆଗରପଡ଼ା-କୁପାରୀ ପିଡବ୍ଲ୍ୟୁଡି ରାସ୍ତା ସହ ସଂଲଗ୍ନ ସରକାରୀ ଜମି ଖାତା ନଂ-୨୭୦, ପ୍ଲଟ ନଂ-୭୧୩ ସହ ଏହି ଗ୍ରାମ୍ୟ ରାସ୍ତା ମଧ୍ୟ ସଂଯୋଗ କରୁଛି ଓ ସେହି ସରକାରୀ ଖାତାର ପ୍ଲଟ ନଂ୭୧୧ ଜବରଦଖଲକାରୀଙ୍କ କବଜାରେ ରହିଛି । ଏମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ନ ହୋଇ ନିର୍ଦ୍ଦିଷ୍ଟ ଦୋକାନୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ହେବା, ପ୍ରକୃତ କାରଣ ଜଣାପଡ଼ୁ ନାହିଁ ।

Shrutilipi ad