Img 20250511 wa0201

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲାଗସ୍ତ ପୂର୍ବରୁ “ମାରିସା” ର ନିବେଦନ

ରାଜ୍ୟ
ବାରିପଦା : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଇରଙ୍ଗପୁର ସ୍ଥିତ ମହୁଲଡିହା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାନ୍ତାଳୀ ଅଲଚିକି ଲିପିର ଶତବାର୍ଷିକୀ  ଉଦଘାଟନ ସମାରୋହରେ ଯୋଗ ଦେବାପାଇଁ ଆସୁଛନ୍ତି । ସାନ୍ତାଳୀ ଭାଷା ୨୦୦୩-୦୪ ମସିହାରେ ତତ୍କାଳିନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତୀୟ ସମ୍ବିଧାନର ୮ମ ଅନୁସୂଚିରେ ସାମିଲ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସ୍ଵୟଂଶାସିତ ସାହିତ୍ୟିକ ସଂସ୍ଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ନୂଆଁଦିଲ୍ଲୀ ମଧ୍ୟ ସ୍ଵୀକୃତି ପ୍ରଦାନ କରିଛି । ସଂପ୍ରତି ସାହିତ୍ୟ ଏକାଡେମୀରେ ସର୍ବମୋଟ ୨୪ ଟି ସ୍ଵୀକୃତିପ୍ରାପ୍ତ ଭାଷା ରହିଛି ଓ ସମ୍ବିଧାନର  ୮ମ ଅନୁସୂଚିରେ ୨୨ଟି ଭାରତୀୟ ଭାଷା ରହିଛି । ସାହିତ୍ୟ ଏକାଡେମୀ ସାନ୍ତାଳୀ ଭାଷାପାଇଁ ଅଲଚିକି ଲିପିକୁ ହିଁ ସ୍ଵୀକୃତି ପ୍ରଦାନ କରିଛି । ସାନ୍ତାଳୀଭାଷା ଭାରତର ୧୭ ତମ ସର୍ବବୃହତ ଭାଷା ଓ ବିଶ୍ଵର ୧୮୩ତମ ସର୍ବବୃହତ ଭାଷା । ସାନ୍ତାଳୀ ଭାଷାଭାଷୀଙ୍କ ସଂଖ୍ୟା ଭାରତରେ ପ୍ରାୟ ୧କୋଟି । ସାନ୍ତାଳୀ ସଂପ୍ରଦାୟ ହେଉଛି  ଭୀଲ୍  ଓ ଗଣ୍ଡପରେ ତୃତୀୟ ସର୍ବବୃହତ୍‌ ଆଦିବାସୀ ଗୋଷ୍ଠି । ଅନ୍ୟପକ୍ଷରେ ୱକିପିଡ଼ିଆରେ ମଧ୍ୟ ସାନ୍ତାଳୀ ଯାହାକି ଅଲଚିକି ଲିପିରେ ଲେଖାଯାଇଛି – ୩୦୧ତମ ଭାଷାଭାବରେ ସ୍ଵୀକୃତି ଲାଭ କରିସାରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସାନ୍ତାଳୀ ସମ୍ପ୍ରଦାୟ ତଥା ଆଦିବାସୀମାନଙ୍କ ଅସ୍ମିତାକୁ ଦୃଷ୍ଟିରେ ରଖି ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା)ର ଦୀର୍ଘଦିନର ଦାବୀ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ନିବେଦନ କରାଯାଇଛି । ଦାବୀଗୁଡିକ ମଧ୍ୟରୁ ପ୍ରାଥମିକସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା,ଏମ୍.ପି.ସି. ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସାନ୍ତାଳୀ ଭାଷାପାଇଁ ନିୟମିତ ଅଧ୍ୟାପକ ପଦବୀ ସୃଷ୍ଟି କରିବା, ୫୦୦ ରୁ ଉର୍ଦ୍ଧ ସାନ୍ତାଳୀ ଡ଼ିଏଲ୍ଇଡି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ପ୍ରଦାନ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ, ଇଂରାଜୀ ସହିତ ଅଲଚିକିରେ ଲେଖାଯିବା, ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲିବା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ, ସୁନାରାମ ସୋରେନ ସାନ୍ତାଳୀ ପାଠାଗାର ପ୍ରତିଷ୍ଠା କରାଯିବା, ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ଵିତୀୟ ରାଜ୍ୟଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆଦି ଦାବୀମାନ ରହିଛି। ଓଡ଼ିଶା ସରକାର ବାସ୍ତବରେ ସାନ୍ତାଳୀ ସମ୍ପ୍ରଦାୟ ତଥା ଆଦିବାସୀମାନଙ୍କ ବିକାଶ ପାଇଁ ବ୍ୟାକୁଳ ତେବେ ଉପରୋକ୍ତ ଦାବୀ ପ୍ରତି ଧ୍ୟାନ ଦେବାକୁ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ  ଦୃଢ଼ ଦାବୀ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାନ୍ତାଳୀ ସମ୍ପ୍ରଦାୟ ତଥା ଆଦିବାସୀ ସମାଜ ପ୍ରତି ବୈମାତୃକ ମନୋଭାବ ନଦେଖାଇ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ପୋଷଣ କରିବା ସହିତ ଯଦି ସାନ୍ତାଳୀ ଭାଷା ଏହାର ଲିପି ଅଲଚିକି ପ୍ରତି ଅବହେଳା ହୁଏ ତେବେ ଆଗାମୀ ଦିନରେ ମାରିସା, ଆଦିବାସୀ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ଓହ୍ଲାଇବ ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Shrutilipi ad