ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ନିର୍ମାଣାଧିନ ଫଳକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ କେଉଁଠି ଗଡ଼ିପଡ଼ିଲାଣିତ ଆଉ କେଉଁଠି ଗଡ଼ାଇଦିଆଗଲାଣି । ଯଦ୍ୱାରା ସୂଚନା ଫଳକ ନିର୍ମାଣ ମୂଲ୍ୟହୀନ ପାଲଟିବା ସଦୃଶ ହୋଇଛି । ଗୋପିନାଥପୁର ପଂଚାୟତରେ ପଂଚାୟତ କାର୍ଯ୍ୟାଳୟ ନିକଟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫ଲକ୍ଷ ୩୨ହଜାର ଅଟକଳ ମୂଲ୍ୟରେ ଲକ୍ଷ୍ମୀ ଦସ୍ଷ୍ଟପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରି ନଥିବା ବେଳେ ଉକ୍ତ କାର୍ଯ୍ୟର ସୂଚନା ନିମନ୍ତେ ନିର୍ମିତ ଫଳକ ବର୍ତ୍ତମାନ ତଳେ ଗଡ଼ିପଡ଼ିଥିବା ବେଳେ ଉକ୍ତ ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷର କୌଣସି ସୂଚନା ନଥିବା ଦେଖିବାକୁ ମିଳିଛି ।
ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସେହିପରି ଉକ୍ତ ପଂଚାୟତରେ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନିର୍ମାଣ ହୋଇଥିଲେ ମଧ୍ୟ ନିର୍ମାଣାଧିନ ସୂଚନା ଫଳକରେ କୌଣସି ସୂଚନା ଲିପିବଦ୍ଧ ହୋଇନଥିବା ଦେଖିବାକୁ ମିଳିଛି । ଯାହାକି ସରକାରୀ ନିୟମକୁ ଖୋଲା ଉଲଘଂନ କରୁଛି । ଖାଲି ଗୋପିନାଥପୁର ପଂଚାୟତ ନୁହେଁ ଓଡ଼ଙ୍ଗ,କାଦବରାଙ୍ଗ,ପୁରୁଷଣ୍ଢ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତ ସମତେ ଅନ୍ୟ ପଂଚାୟତରେ ମଧ୍ୟ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଫଳକ ନିର୍ମାଣ ହେଉଥିଲେ ସୁଦ୍ଧା ଗୋଟିଏ ଫଳକରେ ବିଭିନ୍ନ ପ୍ରକାର ଯୋଜନାକୁ ଲେଖାଯାଉଥିବା ଦେଖିବାକୁ ମିଳୁଛି । ତେଣୁ ସୂଚନା ଫଳକକୁ ପ୍ରହସନରେ ପରିଣତ ନ କରି ଏହାର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ନିର୍ମିତ ସୂଚନା ଫଳକର ପ୍ରକୃତ ଯତ୍ନ ନେବାପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

