ଆଗରପଡ଼ା :ନା ଅଛି ସ୍ୱାସ୍ଥ୍ୟ ଫଳକ ନା ଦୃଷ୍ଟି ଗୋଚର ହେଉଛି ସ୍ୱାସ୍ଥ୍ୟ ବାର୍ତ୍ତା ତଥାପି ଚାଲିଛି ଗାଁ କଲ୍ୟାଣ ସମିତି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ଗ୍ରାମରେ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଗ୍ରାମାଂଚଳ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଗାଁ କଲ୍ୟାଣ ସମିତି ସୃଷ୍ଟି କରାଯାଇଛି । ଏହି ସମିତିରେ ୱାର୍ଡ଼ସଭ୍ୟ, ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ଙ୍କ ସମେତ ୪ଜଣ ସଦସ୍ୟଙ୍କୁ ରଖା ଯାଇଛି । କିନ୍ତୁ ବନ୍ତ ବ୍ଲକର ବିଭିନ୍ନ ପଂଚାୟତ ଅନ୍ତର୍ଗତ ଗ୍ରାମର ପରିସ୍ଥିତିକୁ ଆକଳନକୁ ନେଲେ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣାପଡ଼ିଛି । ନିୟମ ଅନୁଯାୟୀ ପ୍ରତି ରାଜସ୍ୱ ଗ୍ରାମରେ ଥିବା ଗାଁ କଲ୍ୟାଣ ସମିତିକୁ ବାର୍ଷିକ ୧୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥାଏ । ଏହି ଅର୍ଥରୁ ଆଶାକର୍ମୀ ମାସିକ ୫୦ ଟଙ୍କା ହିସାବରେ ବର୍ଷକୁ ୬ଶହ ଟଙ୍କା ପାଉଥିବା ବେଳେ ଅଙ୍ଗନବାଡ଼ି କର୍ମୀ ମାସିକ ୧୦୦ଟଙ୍କା ହିସାବରେ ବର୍ଷକୁ ୧୨ ଶହ ଟଙ୍କା ଏବଂ ୱାର୍ଡ଼ସଭ୍ୟ ସଭାପତି ହୋଇଥିବାରୁ ମାସିକ ୫୦ ଟଙ୍କା ହିସାବରେ ବର୍ଷକୁ ୬ ଶହ ଟଙ୍କା ପାଇଥାନ୍ତି । ଏହି ହିସାବରେ ୩ ଜଣ ବାର୍ଷିକ ୨ ହଜାର ୪ଶହ ଟଙ୍କା ନେବା ପରେ ସମିତିରେ ଆଉ ୭ହଜାର ୬ଶହ ଟଙ୍କା ଜମା ରହିଥାଏ । ଏହି ଜମା ଅର୍ଥରୁ ଆଶା କର୍ମୀ ନିଜ ସାଇକେଲ ମରାମତି ପାଇଁ ବର୍ଷକୁ ୨୦୦ ଟଙ୍କା ନେଉଥିବା ବେଳେ ଗାଁ ସ୍ୱାସ୍ଥ୍ୟ ଯୋଜନା ପ୍ରସ୍ତୁତି କରିବା ବାବଦରେ ୫୦୦ ଟଙ୍କା ,ସମିତିର ପ୍ରତି ମାସ ଶେଷ ଗୁରୁବାର ବୈଠକ ଆୟୋଜନ ପାଇଁ ୩୦୦ ଟଙ୍କା, ଦରି କିଣିବା ବାବଦ ୫୦୦ଟଙ୍କା, ଲେଟରପ୍ୟାଡ଼ ପାଇଁ ୩୦୦ଟଙ୍କା, ୪ଟି ଦିବସ ପାଳନ ପାଇଁ ଦିବସ ପିଛା ୩୦୦ ଟଙ୍କା ହିସାବରେ ବର୍ଷକୁ ଖର୍ଚ୍ଚ ୧୨୦୦ ଟଙ୍କା, ସମିତିର ଟିଣ ବାକ୍ସ କିଣା ବାବଦ ୩୦୦ଟଙ୍କା, ଆଶା କର୍ମୀ ପାଇଁ ଟିଣ ବାକ୍ସ ବାବଦରେ ୩୦୦ ଟଙ୍କା, ପ୍ରତି ଗାଁରେ ଅଳିଆକୁଚଣ୍ଡ ବସାଇବା ପାଇଁ ୫୦୦ ଟଙ୍କା, ସେହିପରି ମ୍ୟାଲେରିଆ,ଡ଼େଙ୍ଗୁ ଆଦିର ନିରାକରଣ ପାଇଁ୨୦୦୦ଟଙ୍କା, ଡ଼ାଇରିଆ ଓ ଜଳବାହିତ ରୋଗର ନିରାକରଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ ବାବଦରେ ୨୦୦୦ଟଙ୍କା ବ୍ୟତିତ ସ୍ୱ।।ସ୍ଥ୍ୟ କାନ୍ଥରେ ବାର୍ତ୍ତା ପାଇଁ ୫୦୦ଟଙ୍କା, ଗାଁର ପ୍ରବେଶ ପଥରେ ସ୍ୱାସ୍ଥ୍ୟ ଫଳକ ବସାଇବା ପାଇଁ ୩୦୦ ଟଙ୍କା ଖର୍ଚ୍ଚର ତାଲିକାଭୁକ୍ତ ହୋଇଥିବାରୁ ଅର୍ଥ ବଳକା ରହିବାର ମଧ୍ୟ ସମ୍ଭାବନା ନାହିଁ । ପୁଣି ଗ୍ରାମର ଦାରିଦ୍ର ସୀମାରେଖା ତଳେ ରହୁଥିବା ୪ ଜଣ ବ୍ୟକ୍ତିଙ୍କୁ ବଳକା ଅର୍ଥରୁ ସହାୟତା ଦେବାକୁ ନିର୍ଦ୍ଦେଶନାମା ମଧ୍ୟ ଅଛି । ଗାଁ କଲ୍ୟାଣ ସମିତିର କାର୍ଯ୍ୟକ୍ରମର ଚିଠା ଲମ୍ବା ହୋଇଥିବା ବେଳେ ପ୍ରଦତ୍ତ ଅର୍ଥର ସଠିକ୍ ବିନିଯୋଗ ହେଉନଥିବାରୁ ଅନେକ ସମୟରେ ଅର୍ଥ ବ୍ୟୟକୁ ନେଇ ବିବାଦ ମୁଣ୍ଡ ଟେକୁଥିବାର ଜଣା ପଡ଼ିଛି ଏବଂ ଅର୍ଥ ଭରଣାକୁ ନେଇ ବିଭିନ୍ନ ଗ୍ରାମର ଗ୍ରାମବାସୀ ସନ୍ଦିହାନ ହେଉଥିବାର ଅଭିଯୋଗ ମଧ୍ୟ ହେଉଛି । ସୂଚନା ଅନୁଯାୟୀ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ବିଶଲକଣା ଗ୍ରାମରେ ଏହିପରି ଅଭିଯୋଗ ମୁଣ୍ଡ ଟେକିଛି । ପାଖାପାଖି ୧୦ ବର୍ଷ ହେବ ଉକ୍ତ ଗ୍ରାମରେ ଗାଁ କଲ୍ୟାଣ ସମିତି କାର୍ଯ୍ୟ କରୁଅଛି । ୩ ଗୋଟି ୱାର୍ଡ଼ର ପାଖାପାଖି ୨୦୦୦ ଜନ ସଂଖ୍ୟାକୁ ନେଇ ବିସଲକଣା ଗାଁ ଗଠିତ । ବହୁ ବର୍ଷ ପୂର୍ବେ ଗାଁର ପ୍ରବେଶ ପଥରେ ବସିଥିବା ସ୍ୱାସ୍ଥ୍ୟ ଫଳକର ନାଁ ଗନ୍ଧ ନଥିବା ବେଳେ ଗାଁର କୌଣସି କାନ୍ଥ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ବହନ କରୁଥିବା ଦେଖିବାକୁ ମିଳୁ ନାହିଁ । ସେହିପରି କାଗଜ କଲମରେ ବୈଠକ ବସୁଥିବାର ସୂଚନା ମିଳୁଥିବା ବେଳେ ଏହାର କୌଣସି ସୂଚନା ଗ୍ରାମବାସୀଙ୍କ ଠାରେ ନଥିବା ଅଭିଯୋଗ ହେଉଛି । ଗାଁ କଲ୍ୟାଣ ସମିତି ପ୍ରକୃତ ପକ୍ଷେ ଗାଁର କଲ୍ୟାଣରେ ଲାଗି ପାରୁନଥିବା ଅଭିଯୋଗ ହେଉଛି । ଏହିପରି ଅଭିଯୋଗକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ସେଯିପରି ଆହୁରି ବହୁ ଗ୍ରାମରେ ବର୍ଷ ବର୍ଷ ଧରି ଗାଁ କଲ୍ୟାଣ ସମିତିର କୌଣସି ବୈଠକ ଅନୁଷ୍ଠିତ ହୋଇପାରୁନଥିବାରୁ ଗାଁ କଲ୍ୟାଣ ସମିତି ଅର୍ଥ ବ୍ୟବହୃତ ହେଉନପାରି ପଡ଼ିରହୁଥିବାର ଜଣାପଡ଼ିଛି । ଏହିସବୁ କାରଣରୁ ଗାଁ କଲ୍ୟାଣ ସମିତି ତାର ପ୍ରକୃତ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଥିବାରୁ ଏହା ଏକ ପ୍ରହସନ ବୋଲି ସାଧାରଣରେ ହୃଦବୋଧ ହେଉଛି । ଏହି ଲୋକାଭିମୁଖୀ ଯୋଜନାକୁ ଅଯଥାରେ କେବଳ ମାତ୍ର ଖର୍ଚ୍ଚ ମଧ୍ୟରେ ସୀମିତ ରଖିବା ଦ୍ୱାରା ସାଧାରଣରେ ଏହା ଲୋକଙ୍କ କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି । ସମିତି ଗଠନ କରିଦେଇ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତାହାର ତଦାରଖ କରାଯାଉନଥିବାରୁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ବେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

