ଆଧ୍ୟାତ୍ମିକ ପ୍ରବଚନ ନିଶାରେ ନରହରି

ରାଜ୍ୟ

ଆଗରପଡ଼ା,ତା୨୩/୪(ପିଏନଏସ):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ଭୁଗୁପୁର ଗ୍ରାମର ବାସିନ୍ଦା ତଥା ମହାନ ସାରସ୍ୱତ ସାଧକ ପଣ୍ଡିତ ଚାରଣ ନରହରି ଦାଶ । ୧୯୫୧ ମସିହାରେ ପିତା ଗଙ୍ଗାଧର ଦାଶ ଓ ଗେଲ୍ଲାମଣି ଦାଶଙ୍କ କୋଳମଣ୍ଡନ କରିଥିବା ଚାରଣ ନରହରି ଦାଶ ଭଦ୍ରକସ୍ଥିତ ଭାରତୀୟ ଦୂରସଂଚାର ନିଗମ କାର୍ଯ୍ୟାଳୟରେ ୩୦ ବର୍ଷ ଧରି ଚାକିରି କରି ଅବସର ନେଇଛନ୍ତି । ପେସାକୁ ଛାଡ଼ି ୧୯୯୫ ମସିହାରୁ ଆଧ୍ୟାତ୍ମିକ ପ୍ରବଚନ ଦେବାକୁ ସେ ନିଶା ଭାବେ ଗ୍ରହଣ କରିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ଓଡ଼ିଶା ତଥା ଓଡ଼ିଶା ବାହାରେ ପ୍ରବଚନ ଦେଇ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ଗଞ୍ଜାମ, ଗଜପତିଠୁ ଆରମ୍ଭ କରି ଭଦ୍ରକ, କେନ୍ଦ୍ରାପଡ଼ା ଯାଏ ଗୀତା, ଭାଗବତ, ରାମଚରିତ ମାନସ, ଜଗନ୍ନାଥ ତତ୍ତ୍ୱ, ଚୈତନ୍ୟ ଲୀଳା ଆଦି ବିଷୟରେ ସେ ପ୍ରବଚନ ଦେଇ ପ୍ରଶଂସା ସାଉଁଟିଛନ୍ତି । ଓଡ଼ିଶାର ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ସ୍ଥିତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଧାରାବାହିକ ପ୍ରବଚକ ଭାବରେ ସେ ଖ୍ୟାତି ଲାଭକରିଛନ୍ତି । ଏକାଧାରରେ ସେ ଜଣେ ପ୍ରବଚକ, ପ୍ରାବନ୍ଧିକ ଓ ଗାଳ୍ପିକ । ତାଙ୍କର ବହୁ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । କେନ୍ଦୁଝର ଜିଲ୍ଲାର ‘ନବକାକଳୀ’, ଜଗତସିଂପୁର ଜିଲ୍ଲାର ‘ମୃଗତୃଷ୍ଣା’ ଓ ବାରିପଦାର ଶୁଭଶଙ୍ଖ ସାହିତ୍ୟାନୁଷ୍ଠାନ ସମେତ କଲକତାର ଖିଦିରପୁର, ଖଡ଼ଗପୁର ଜଗନ୍ନାଥ ଟ୍ରଷ୍ଟ, ଘଟଗାଁ ତାରିଣୀ ଟ୍ରଷ୍ଟ, ଆଖଣ୍ଡଳମଣି ପୀଠ ଟ୍ରଷ୍ଟ, ସୂର୍ଯ୍ୟ ମନ୍ଦିର କୋଣାର୍କ ଟ୍ରଷ୍ଟ, ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଆଦି ସ୍ଥାନରୁ ସେ ପୁରସ୍କୃତ ହୋଇଛନ୍ତି । ତାଙ୍କର ପ୍ରବଚନ କ୍ୟାସେଟ ‘ଶ୍ରୀକୃଷ୍ଣ କଥାମୃତ’ ଓ ‘ମା ଭଦ୍ରକାଳୀ’, ତାରିଣୀ କଥାମୃତ, ବିଭୀଷଣ ଶରଣ, ରାମଚରିତ ସୁନ୍ଦରାକାଣ୍ଡ କଥାମୃତ କ୍ୟାସେଟ ଆଦି ମୁକ୍ତିଲାଭ କରିଛି । କଟକ ଆକାଶବାଣୀ କେନ୍ଦ୍ରରେ ସେ କଥାକାର ବକ୍ତା, ଭାରତ ସଂଚାର ନିଗମରେ ପ୍ରାମାଣିକ ଚଳଚ୍ଚିତ୍ର କରିଛନ୍ତି । ବିଭିନ୍ନ ବିଭାଗରେ ବହୁ ସୁନାମ ଅର୍ଜନ କରିଥିବା ନରହରିଙ୍କୁ ଏବେ ୭୩ ବର୍ଷ ବୟସ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସେ ପ୍ରବଚନ ଜାରି ରଖିଛନ୍ତି ।

Shrutilipi ad