‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦେଶ - ବିଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ଦ୍ରୁତ ଗତିରେ ବଢୁଥିବା ସ୍ଵାସ୍ଥ୍ୟ ସମସ୍ୟା ‘ମୋଟାପଣ’ ଉପରେ ଚର୍ଚ୍ଚା କରିଛନ୍ତି। ଦେଶରେ ମୋଟାପଣ ଏବେ କିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଚିନ୍ତା ପାଲଟିଛି ଏବଂ ଏଥିରୁ କିପରି ମୁକ୍ତି ପାଇବେ ସେନେଇ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସେ କହିଛନ୍ତି, ଏକ ସୁସ୍ଥ ରାଷ୍ଟ୍ର ନିର୍ମାଣ ପାଇଁ, ଆମକୁ ମୋଟାପଣ ସମସ୍ୟାର ମୁକାବିଲା କରିବାକୁ ପଡ଼ିବ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ପ୍ରତି ଆଠ ଜଣ ମଧ୍ୟରୁ ଜଣେ ବ୍ୟକ୍ତି ମୋଟାପଣ ସମସ୍ୟାରେ ପୀଡ଼ିତ। କେବଳ ଏତିକି ନୁହେଁ, ଗତ କିଛି ବର୍ଷ ମଧ୍ୟରେ ମୋଟାପଣ ମାମଲା ଦୁଇ ଗୁଣ ବୃଦ୍ଧି ପାଇଛି। ଅଧିକ ଚିନ୍ତାଜନକ କଥା ହେଉଛି, ପିଲାମାନଙ୍କ ମଧ୍ୟରେ ମୋଟାପଣ ସମସ୍ୟା ମଧ୍ୟ ଚାରି ଗୁଣ ବୃଦ୍ଧି ପାଇଛି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ସୂଚନା ଅନୁସାରେ, ୨୦୨୨ ମସିହାରେ ସାରା ବିଶ୍ୱରେ ପ୍ରାୟ ୨୫୦ କୋଟି ଲୋକ ଅଧିକ ଓଜନ ସମସ୍ୟାର ଶିକାର ଥିଲେ। ଏହି ସଂଖ୍ୟା ଅତ୍ୟନ୍ତ ଗମ୍ଭୀର, ଯାହା ଅନେକ ପ୍ରକାର ରୋଗ ବଢାଇବାର କାରଣ ହୋଇପାରେ। ମୋଟାପଣ ବା ମେଦବହୁଳତା ସମସ୍ୟାରୁ ମୁକ୍ତି ପାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଖାସ୍ ଉପାୟ ମଧ୍ୟ ଲୋକଙ୍କ କହିଛନ୍ତିି, ଯାହାକୁ ସମସ୍ତେ ଧ୍ୟାନରେ ରଖିବା ଉଚିତ। ତାହା ହେଉଛି ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାଇବା। ମୋଦୀ କହିଛନ୍ତି, ତୁମେ ଯଦି ପ୍ରତି ମାସରେ ୧୦% କମ୍ ତେଲ ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେବ, ତେବେ ଖାଇବା ପାଇଁ ତେଲ କିଣିବାବେଳେ ତୁମେ ନିଷ୍ପତ୍ତି ନେଇପାରିବ ଯେ ତୁମେ ଏହାର ୧୦% କମ୍ କିଣିବ। ଏହା ମୋଟାପଣ ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Shrutilipi ad