10 10 e1766157048463 300x87

ରୋଚକ ଦୃଶ୍ୟ: ଏକାଠି ବସି ଚା ପିଇଲେ ମୋଦୀ, ପ୍ରିୟଙ୍କା, ସୁପ୍ରିୟା-ଧର୍ମେନ୍ଦ୍ର ଯାଦବ

ଦେଶ - ବିଦେଶ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା ପରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିବେଶନ ଶେଷ ହେବା ପରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ତମାମ ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ବସି ଚା ପିଉଥିବା ଏକ ଭିନ୍ନ ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ସମୟରେ ସଂସଦର କାର୍ଯ୍ୟକାରିତା ଏବଂ ଅଧିବେଶନର କାର୍ଯ୍ୟଧାରା ସମ୍ପର୍କରେ ଚା ପିଇବା ବେଳେ ଅନୌପଚାରିକ ଆଲୋଚନା ହୋଇଥିଲା । ଏହି ସମୟର ଏକ ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଶାସକ ଏବଂ ବିରୋଧୀ ଦଳର ଅନେକ ପ୍ରମୁଖ ନେତା ଗୋଟିଏ ସ୍ଥାନରେ ଥିବା ଦେଖି ବେଶ ଆଶ୍ଚର୍ଯ୍ୟ ହୋଇଥିଲେ ଜନତା ।

ଚା ପେ ଚର୍ଚ୍ଚା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ଲଲ୍ଲନ ସିଂହ, କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ, ଏନସିପି (ସପା) ସାଂସଦ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ, ଧର୍ମେନ୍ଦ୍ର ଯାଦବ ଏବଂ ଡିଏମକେ ସାଂସଦ ଏ ରାଜାଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ ସଂସଦୀୟ ଅଧିବେଶନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶାସକ ଦଳ ଏବଂ ବିରୋଧୀ ଦଳ ଉଭୟଙ୍କୁ ନିମନ୍ତ୍ରଣ କରି ଏକ ଚା ପାର୍ଟି ଆୟୋଜନ କରିବାର ପରମ୍ପରା ରହିଛି । ଏହାକୁ ସଂସଦୀୟ ଗଣତନ୍ତ୍ରରେ ଆଲୋଚନା ଏବଂ ସମନ୍ୱୟର ପ୍ରତୀକ ଭାବରେ ବିବେଚନା କରାଯାଏ ।

ଗତ ମୌସୁମୀ ଅଧିବେଶନର ଶେଷରେ ଏକ ଚା ପାର୍ଟି ମଧ୍ୟ ଆୟୋଜିତ ହୋଇଥିଲା । କିନ୍ତୁ କେବଳ ଶାସକ ମେଣ୍ଟର ସହଯୋଗୀ ଦଳଗୁଡିକର ନେତା ଯୋଗ ଦେଇଥିଲେ । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳର ନେତାମାନେ ଚା ପାର୍ଟିକୁ ବର୍ଜନ କରିଥିଲେ । ଏବେ ଶୀତକାଳୀନ ଅଧିବେଶନ ପରେ ଚା ପାଇଁ ସମସ୍ତ ଦଳର ନେତାଙ୍କ ଏକତ୍ରିତ ହେବା ରାଜନୈତିକ ମହଲରେ ଏକ ସକାରାତ୍ମକ ସଙ୍କେତ ଭାବରେ ଦେଖାଯାଉଛି ।

Shrutilipi ad