555 092419105221

୨୦୨୬ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ୨ଟି ପର୍ଯ୍ୟାୟରେ ହେବ ଜନଗଣନା

ଦେଶ - ବିଦେଶ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଏପ୍ରିଲରୁ ୨୦୨୭ ଫେବୃଆରୀ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନିତ୍ୟାନନ୍ଦ କହିଛନ୍ତି ଯେ ୨୦୨୬ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା କରାଯିବ। ତଦନୁଯାୟୀ ଏହି ସମୟରେ ଘର ଗଣତି କରାଯିବ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସୁବିଧା ଅନୁଯାୟୀ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ୨୦୨୭ ଫେବୃଆରୀରୁ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ।

ଅବଶ୍ୟ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ-କାଶ୍ମୀର, ଲଦାଖ ଭଳି ରାଜ୍ୟ/କେନ୍ଦ୍ରଶାସିିତ ଅଞ୍ଚଳରେ ୨୦୨୬ ଅକ୍ଟୋବର ୧ରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ। ୨୦୨୭ ଫେବୃଆରୀରେ ଏହି ଅଞ୍ଚଳରେ ପ୍ରବଳ ଶୀତ ଲହରି ଜାରି ରହୁଥିବାରୁ ଜନଗଣନା କାର୍ଯ୍ୟ ସମ୍ଭବ ହୋଇପାରିବ ନାହିଁ ବୋଲି କୁହାଯାଇଛି। ନିତ୍ୟାନନ୍ଦ ଆହୁରି କହିଛନ୍ତି ଯେ ଜନଗଣନା ଅଭିଯାନରେ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ସଂଗଠନଗୁଡିକରୁ ମିଳିଥିବା ସୂଚନା/ସୁପାରିସକୁ ଗୁରୁତ୍ବ ଦିଆଯିବ। ବିଗତ ୧୫୦ ବର୍ଷ ଧରି ଭାରତରେ ଜନଗଣନା କାର୍ଯ୍ୟ ଚାଲିଆସୁଛି। ତେଣୁ ପୂର୍ବ ଅଭିଜ୍ଞତାକୁ ଆଧାର କରି ଏଥର ଜନଗଣନା କାର୍ଯ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ ବ୍ରିଟିଶ ଶାସନ ଅମଳରେ ୧୮୮୧ରେ ଭାରତରେ ପ୍ରଥମେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁନଶ୍ଚ ଆଗାମୀ ଜନଗଣନା ସମୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି କ୍ୟାବିନେଟ ମଞ୍ଜୁର କରିସାରିଛି। ଏଥର ଡିଜଟାଲ ପ୍ରକ୍ରିୟା ଅର୍ଥାତ୍‌ ମୋବାଇଲ ଆପ୍‌ରେ ଜନଗଣନା କାର୍ଯ୍ୟ ସମ୍ପାଦନ କରାଯିବ।

Shrutilipi ad