Saturday, March 07, 2026
Untitled 7 2025 11 14 06 12 29

ଦେଶରେ ସକ୍ରିୟ ୬ କୋଟି ମୃତକଙ୍କ ଆଧାର କାର୍ଡ

ଦେଶ - ବିଦେଶ

ନୂଆଦିଲ୍ଲୀ: ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ୧.୮୩ କୋଟି କାର୍ଡ ନିଷ୍କ୍ରିୟ ହୋଇପାରିଛି। ପ୍ରାୟ ୬ କୋଟି ମୃତକଙ୍କ ଆଧାର ଏବେ ବି ସକ୍ରିୟ ରହିଛି। ପଶ୍ଚିମବଙ୍ଗରେ ପ୍ରାୟ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କ ମୃତ୍ୟୁ ଘଟିଛି। ତଥାପି, ସେମାନଙ୍କର ଆଧାର କାର୍ଡ ଏବେ ବି ସକ୍ରିୟ ଅଛି। ଏହାଦ୍ୱାରା ବ୍ୟାଙ୍କ ଠକେଇ, ନକଲି ଆକାଉଣ୍ଟ ଓ ସରକାରୀ ଯୋଜନା ଲାଭର ଅପବ୍ୟବହାର ଆଶଙ୍କା ବୃଦ୍ଧି ପାଇଛି।

ଭୁବନେଶ କୁମାର କହିଛନ୍ତି, ୨୦୧୦ରେ ଆଧାର ଆରମ୍ଭ ହୋଇଥିଲା। ୨୦୧୬ ମସିହା ପରଠାରୁ ପ୍ରାୟ ୮ କୋଟି ଆଧାରଧାରୀଙ୍କ ମୃତ୍ୟୁ ଘଟିଥିବା ଆକଳନ କରାଯାଇଛି। ନାଗରିକ ପଞ୍ଜୀକରଣ ବ୍ୟବସ୍ଥା କେବଳ ୨୫ଟି ରାଜ୍ୟ ପାଇଁ ତଥ୍ୟ ପ୍ରଦାନ କରେ। ଅବଶିଷ୍ଟ ରାଜ୍ୟରୁ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଆଧାର ଜାରି କରାଗଲା, ସେତେବେଳେ ଦେଶରେ ବାର୍ଷିକ ମୃତ୍ୟୁ ପ୍ରାୟ ୫୬ ଲକ୍ଷ ଥିଲା। ଏହି ସଂଖ୍ୟା ୮୫ ଲକ୍ଷକୁ ବୃଦ୍ଧି ପାଇଛି। ସେଥିପାଇଁ ଆମେ ୨୦୧୬ ପରଠାରୁ ଆଠ କୋଟି ମୃତ୍ୟୁ ଅନୁମାନ କରୁଛୁ। ମୃତ୍ୟୁ ପଞ୍ଜୀକରଣ ତଥାପି ସନ୍ତୋଷଜନକ ନୁହେଁ। ଏପର୍ଯ୍ୟନ୍ତ ପ୍ରାୟ ୪୮ ଲକ୍ଷ ନାମ ମେଳ ଖାଉ ନାହିଁ। ଏଥିମଧ୍ୟରୁ ୪-୫% ରେକର୍ଡ ଆଞ୍ଚଳିକ ଭାଷାରେ ଲିପିବଦ୍ଧ ହୋଇଥିବା ହେତୁ ମେଳ ହୋଇପାରିଲା ନାହିଁ। ଏହି ପ୍ରକ୍ରିୟାରେ, ଏପରି ୮୦ଟି ମାମଲା ରୁଜୁ ହୋଇଥିଲା ଯେଉଁଥିରେ ମୃତ ଘୋଷିତ ହୋଇଥିବା ଲୋକ ପରେ ଜୀବିତ ମିଳିଥିଲେ। ଏହି ମାମଲାଗୁଡ଼ିକର ବର୍ତ୍ତମାନ ତଦନ୍ତ ଚାଲିଛି।

ୟୁଆଇଡିଏଆଇ ଡାଟାବେସରେ ୮.୩୦ ଲକ୍ଷ ଆଧାରଧାରୀଙ୍କ ବୟସ ୧୦୦ ବର୍ଷରୁ ଅଧିକ ବୋଲି ରେକର୍ଡ କରାଯାଇଛି। ଏଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୭୪,୦୦୦, ଉତ୍ତରପ୍ରଦେଶରେ ୬୭,୦୦୦, ଆନ୍ଧ୍ରପ୍ରଦେଶରେ ୬୪,୦୦୦ ଏବଂ ତେଲେଙ୍ଗାନାରେ ୬୨,୦୦୦ କାର୍ଡଧାରୀ ଅଛନ୍ତି। ଏଥିମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୩,୦୮୬ ମାମଲା ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୬୨୯ ଜଣ ଜୀବିତ ଥିଲେ, ୭୮୩ ଜଣ ମୃତ ଥିଲେ ଏବଂ ୧,୬୭୪ ଜଣଙ୍କ ରିପୋର୍ଟ ମିଳି ନ ଥିଲା। ଏସ୍‌ବିଆଇର ୨୨ କୋଟି ଆଧାର ଲିଙ୍କ୍ ଆକାଉଣ୍ଟ ମଧ୍ୟରୁ ୮ ଲକ୍ଷ ମୃତ ଆକାଉଣ୍ଟ ବନ୍ଦ ହୋଇଯାଇଛି। ପିଏନ୍‌ବିର ୧୪ କୋଟି ଆକାଉଣ୍ଟ ମଧ୍ୟରୁ ୪ ଲକ୍ଷ ମୃତ୍ୟୁ ନିଶ୍ଚିତ ହୋଇଛି। ପିଡିଏସ୍ ସହ ଜଡିତ ୮୦ କୋଟି ରାସନ କାର୍ଡ ମଧ୍ୟରୁ ୪.୫ ଲକ୍ଷ ମୃତକଙ୍କ କାର୍ଡ ସକ୍ରିୟ ଥିବା ଜଣାପଡ଼ିଛି। ଦୁଇ କୋଟି ପେନସନଭୋଗୀଙ୍କ ମଧ୍ୟରୁ ୨୨ ଲକ୍ଷ ମୃତ୍ୟୁ ନିଶ୍ଚିତ ହୋଇଛି। ବୀମା କମ୍ପାନିଗୁଡ଼ିକ ପାଖରେ ୫ ଲକ୍ଷ ମୃତ୍ୟୁ ସୂଚନା ରହିଛି।

Shrutilipi ad