Saturday, March 07, 2026
Untitled 2 2025 11 14 05 44 21

ଅଲ୍‌-ଫଲାହ ହଷ୍ଟେଲରେ ରଚାଯାଇଥିଲା ଆତଙ୍କୀ ଷଡ୍‌ଯନ୍ତ୍ର !

ଦେଶ - ବିଦେଶ

ନୂଆଦିଲ୍ଲୀ: ହରିୟାଣାର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ସାଧାରଣ ସନ୍ତସନ୍ତିଆ ହଷ୍ଟେଲ କୋଠରିରେ ଡାକ୍ତରମାନେ ଆତଙ୍କବାଦୀ ଆକ୍ରମଣର ଷଡ୍‌ଯନ୍ତ୍ର କରିଥିବା ଜଣାପଡ଼ିଛି। ପୁରୁଷ ହଷ୍ଟେଲର ୧୭ ନମ୍ବର ବିଲ୍ଡିଂର ରୁମ୍ ନମ୍ବର ୧୩  ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲର ଗୁପ୍ତ ବୈଠକ କେନ୍ଦ୍ର ଭାବରେ କାର୍ଯ୍ୟ କରିଥିଲା। ସୋମବାର ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟାଇଥିବା ଡାକ୍ତର ଉମର ନବୀ ସେଠାରେ କାର୍ଯ୍ୟରତ ଥିବା ଖବର ଆସିବା ପରେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଓ ଡାକ୍ତରଖାନା ଚର୍ଚ୍ଚାକୁ ଆସିଛି।

ଗୋଟିଏ ଦିନ ପୂର୍ବରୁ, ଅଲ-ଫାଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଡ. ମୁଜାମିଲ ଶକିଲଙ୍କ ଭଡାଘରୁ ୨,୯୦୦ କିଲୋଗ୍ରାମ୍ ଆଇଇଡି ତିଆରି ସାମଗ୍ରୀ ଜବତ କରାଯାଇଥିଲା। ଭାରତରେ ପାକିସ୍ତାନର ଜୈସ-ଏ-ମହମ୍ମଦର ମହିଳା ଶାଖା ଗଠନ ଦାୟିତ୍ୱରେ ଥିବା ଡାକ୍ତର ଶାହିନ ଶାହିଦ ମଧ୍ୟ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଥିଲା। ମୁଜାମିଲ ଓ ଶାହିନଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମଘାତୀ ବିସ୍ଫୋରଣରେ ଉମରର ମୃତ୍ୟୁ ଘଟିଛି। କାଶ୍ମୀରର ଅନ୍ୟ ଜଣେ ଡାକ୍ତର ନିସାର-ଉଲ୍-ହାସନ ନିଖୋଜ ଅଛି। ହଷ୍ଟେଲର ୧୩ ନମ୍ବର ରୁମ୍ କାଶ୍ମୀରର ପୁଲୱାମା ବାସିନ୍ଦା ଡାକ୍ତର ମୁଜାମିଲର ଥିଲା। ଏହି କୋଠରି ଭିତରେ ସେ ଅନ୍ୟ ଉଗ୍ରବାଦୀ ଡାକ୍ତରଙ୍କ ସହ ଆଲୋଚନା କରି ଦିଲ୍ଲୀ ଓ ନିକଟବର୍ତ୍ତୀ ରାଜ୍ୟରେ ସମନ୍ୱିତ ବିସ୍ଫୋରଣ ପାଇଁ ଷଡ୍‌ଯନ୍ତ୍ର କରିଥିଲା। ବାସ୍ତବରେ ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ଭଙ୍ଗା ବାର୍ଷିକୀ ଅବସରରେ ଏହି ବିସ୍ଫୋରଣ ପାଇଁ ଯୋଜନା କରାଯାଇଥିଲା ବୋଲି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରାରୁ ଜଣାପଡ଼ିଛି।

ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ, ବିଶ୍ୱବିଦ୍ୟାଳୟର ଲାବୋରେଟୋରିରୁ ରାସାୟନିକ ପଦାର୍ଥ ହଷ୍ଟେଲ କୋଠରିକୁ ଅଣାଯାଉଥିଲା। ପୁଲିସ ବର୍ତ୍ତମାନ କୋଠରିକୁ ସିଲ୍ କରିଛି ଏବଂ ଚଢ଼ଉ ସମୟରେ ଏଠାରୁ ଇଲେକ୍ଟ୍ରୋନିକ୍ ଉପକରଣ ଓ ପେନ୍ ଡ୍ରାଇଭ୍ ଆଦି ଜବତ କରାଯାଇଛି। ୧୩ ନମ୍ବର କୋଠରିରେ ରାସାୟନିକ ପଦାର୍ଥ ମଧ୍ୟ ମିଳିଥିଲା। ସୂତ୍ରରୁ ପ୍ରକାଶ ଯେ ଡାକ୍ତର ଉମର ଓ ଡକ୍ଟର ଶାହିନ୍ ବିଶ୍ୱବିଦ୍ୟାଳୟ ଲାବୋରେଟୋରିରୁ ଫରିଦାବାଦର ଧୌଜ ଓ ଟାଗା ଗ୍ରାମକୁ ରାସାୟନିକ ପଦାର୍ଥ ସ୍ଥାନାନ୍ତର କରିବାରେ ମୁଖ୍ୟ ଭୂମିକା ନେଇଥିଲେ।   ସେଠାରେ ବିସ୍ଫୋରକ ଏକତ୍ର କରାଯାଉଥିଲା। ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ ହେବାର ଦୁଇ ଦିନ ପରେ ନୀରବତା ଭାଙ୍ଗିଥିବା ଅଲ୍‌-ଫାଲାହ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନିକ ସମ୍ପୃକ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି।

Shrutilipi ad