Saturday, March 07, 2026
Untitled 19 2025 10 26 06 32 34

ସାର୍ କ୍ରିକ୍ ନିକଟରେ ଭାରତର ସମରାଭ୍ୟାସ ପ୍ରସ୍ତୁତି, ପାକିସ୍ତାନ ଲଗାଇଲା ବାୟୁସୀମା କଟକଣା

ଦେଶ - ବିଦେଶ

ନୂଆଦିଲ୍ଲୀ: ସୀମାରେ ଭାରତ ତିନିସେନାର ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଏହାର କେନ୍ଦ୍ରୀୟ ଓ ଦକ୍ଷିଣ ବାୟୁସୀମାରେ ଏକାଧିକ ବିମାନ ଚଳାଚଳ ମାର୍ଗ ଉପରେ ପ୍ରତିବନ୍ଧକ ଲଗାଇ ଏକ ବିଜ୍ଞପ୍ତି ଜାରି କରିଛି। ଅକ୍ଟୋବର ୨୮-୨୯ ପାଇଁ ନୋଟାମ୍ (ଏୟାର୍‌ମେନ୍‌ଙ୍କୁ ନୋଟିସ୍) ଜାରି କରିଥିବା ପାକିସ୍ତାନ ଏ ବାବଦ କୌଣସି କାରଣ ଦର୍ଶାଇ ନାହିଁ। ବିଶ୍ଳେଷକମାନେ କହିଛନ୍ତି ଯେ, ଭାରତର ସାମରିକ ଅଭ୍ୟାସ କିମ୍ବା ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣରେ ବିଚଳିତ ହୋଇ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ପାକିସ୍ତାନ ସୀମାରେ ଥିବା ସାର୍ କ୍ରିକ୍ ନିକଟରେ  ତିନିସେନାର ଏକ ବଡ଼ ଧରଣର ସମରାଭ୍ୟାସ ପାଇଁ ଭାରତ ଆଲର୍ଟ ଜାରି କରିବା ପରେ ଇସଲାମାବାଦ ଏହି ପଦକ୍ଷେପ ନେଇଛି।

କୌତୂହଳର ବିଷୟ ହେଉଛି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଇସଲାମାବାଦକୁ ସାର୍ କ୍ରିକ୍ ଅଞ୍ଚଳରେ କୌଣସି ଦୁଃସାହସିକ କାର୍ଯ୍ୟ ନ କରିବାକୁ ଚେତାବନୀ ଦେବାର କିଛି ଦିନ ପରେ ଭାରତ ସାର୍‌କ୍ରିକ୍‌-ସିନ୍ଧ୍-କରାଚୀ ଅକ୍ଷ ନିକଟରେ ଏହି ସମରାଭ୍ୟାସ କରୁଛି। ରାଜନାଥ ସିଂହ କହିଥିଲେ, ଯଦି ପାକିସ୍ତାନ ସାର୍ କ୍ରିକ୍ ସେକ୍ଟରରେ କିଛି ଦୁଃସାହସ ପଦକ୍ଷେପ ନିଏ, ତେବେ ଏହାର ଜବାବ ଏତେ ଦୃଢ଼ ହେବ ଯେ ପାକିସ୍ତାନର  ଇତିହାସ ଓ ଭୂଗୋଳ ବଦଳିଯିବ। ସାର୍ କ୍ରିକ୍ ହେଉଛି  ଗୁଜରାଟ ଓ ସିନ୍ଧ ମଧ୍ୟରେ ଥିବା ଏକ ଜନଶୂନ୍ୟ ସନ୍ତସନ୍ତିଆ ଅଞ୍ଚଳ। ଏହି ୯୬ କିଲୋମିଟର ମୁହାଣ ଉପରେ ନିୟନ୍ତ୍ରଣ ପ୍ରମୁଖ ସମୁଦ୍ର ମାର୍ଗକୁ ପ୍ରବେଶ କରିବାକୁ ଅନୁମତି ଦିଏ, ଯାହା ସାର୍ କ୍ରିକ୍‌କୁ ସୁରକ୍ଷା ଓ ସାମରିକ ଯୋଜନା ପାଇଁ ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ କରିଥାଏ। ପାକିସ୍ତାନ ଏହି ଅଞ୍ଚଳରେ ଏହାର ସାମରିକ ଭିତ୍ତିଭୂମି ନିର୍ମାଣକୁ ଜୋରଦାର କରିଥିବା ଗୁଇନ୍ଦା ରିପୋର୍ଟ ପରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଚେତାବନୀ ଦେଇଥିଲେ। ତେଣୁ ଏହି ପୃଷ୍ଠଭୂମିରେ ପାକିସ୍ତାନ ସୀମା ନିକଟରେ ଭାରତର ଏହି ବିଶାଳ ଅଭ୍ୟାସ ବହୁତ ଗୁରୁତ୍ୱ ବହନ କରେ।

Shrutilipi ad