Capture 13 1068x600

୨୫୬ କୋଟି ଟଙ୍କାର ଡ୍ରଗ୍ସ ରାକେଟ୍ ଠାବ କଲା ମୁମ୍ବଇ କ୍ରାଇମବ୍ରାଞ୍ଚ

ଦେଶ - ବିଦେଶ

ମୁମ୍ବଇ, ୨୩ା୧୦: ମୁମ୍ବଇ କ୍ରାଇମବ୍ରାଞ୍ଚର ୟୁନିଟ୍ ୭କୁ ବଡ ସଫଳତା ମିଳିଛି। ପୁଲିସ ଦାଉଦ ନେଟୱର୍କ ସହ ଜଡିତ ସଲିମ ଡୋଲାର ଖାସ୍ ସାଥୀ ମୋହମ୍ମଦ ସଲିମ ସୁହେଲ ଶେଖକୁ ଗିରଫ କରିଛି। ଅଭିଯୁକ୍ତ ଅନେକ ଦିନ ଧରି ଦୁବାଇରେ ବସି ଭାରତରେ ଡ୍ରଗ୍ ନେଟୱର୍କକୁ ପରିଚାଳନା କରୁଥିଲା। କୁର୍ଲା ଅଞ୍ଚଳରେ ଜଣେ ମହିଳା ଡ୍ରଗ୍ସ ସପ୍ଲାଇ କରୁଥିବା ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ୧୬ ଫେବୃୟାରୀ ୨୦୨୪ରେ ସୂଚନା ମିଳିଥିଲା। କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସ ପରବିନ୍ ବାନୋ ଗୁଲାମ ଶେଖକୁ ୬୪୧ ଗ୍ରାମ ଡ୍ରଗ୍ସ ଓ ୧୨ ଲକ୍ଷ ଟଙ୍କା ସହ ଧରିଥିଲା। ପଚରାଉଚରାରେ ସେ ସଲିମ୍ ଶେଖ୍ ଓ ସଲିମ ଡୋଲା ସହ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲା।

ଏହା ପରେ ପୁଲିସ ମିରା ରୋଡରୁ ସାଜିଦ ମୋହମ୍ମଦ ଆସିଫ୍ ଶେଖକୁ ଗିରଫ କରିବା ସହ ତା’ ଘରୁ ୩ କିଲୋ ଡ୍ରଗ୍ସ ଓ ୩.୬୮ ଲକ୍ଷ ଟଙ୍କା ଜବତ କରିଥିଲା। ଯାଞ୍ଚ ପରେ ସେ ସାଙ୍ଗଲି ଡ୍ରଗ୍ କାରଖାନା ସହ ସମ୍ପୃକ୍ତ ଥିବା ଜଣାପଡିଥିଲା। ୨୫ ମାର୍ଚ୍ଚ ୨୦୨୪ରେ ପୁଲିସ ସାଙ୍ଗଲିରେ ଚଢଉ କରି ୧୨୨ କିଲୋ ମେଫେଡ୍ରୋନ୍ ଜବତ କରିଥିଲା। କାରଖାନାରେ ମେସିନ୍, କଞ୍ଚାମାଲ ଜବତ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ ସମୁଦାୟ ୧୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ୨୫୬.୪୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଯେଉଁଥିରେ ୧୨୬ କିଲୋ ଡ୍ରଗ୍ସ, ୪.୧୯ କୋଟି ନଗଦ ରାଶି ଏବଂ ଯାନବାହନ ସାମିଲ। ସଲିମ୍ ଶେଖ୍ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା। କିଛି ସପ୍ତାହ ପୂର୍ବରୁ ତାକୁ ଦୁବାଇରୁ ଗିରଫ କରାଯାଇ ଭାରତ ଅଣାଯାଇଥିଲା। ୨୨ ଅକ୍ଟୋବରରେ କୋର୍ଟରେ ହାଜର ପରେ ତାକୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଥିଲା।

Shrutilipi ad