2 171 1756473251289

ପାଟନା କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପିର ଆକ୍ରମଣକୁ ନେଇ ମୁହଁ ଖୋଲିଲେ ରାହୁଲ

ଦେଶ - ବିଦେଶ

ନୂଆଦିଲ୍ଲୀ ୨୯।୮: ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ପ୍ରତି କରାଯାଇଥିବା ଅଭଦ୍ର ଟିପ୍ପଣୀ ନେଇ ଶୁକ୍ରବାର ରାଜଧାନୀ ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ‘ସତ୍ୟ ଓ ଅହିଂସାର ବିଜୟ ହୁଏ’। ଲୋକସଭାରେ ବିରୋଧୀ ଦଳ ନେତା ଏ ନେଇ ଏକ୍ସରେ ଏକ ଟ୍ୱିଟ୍ କରିଛନ୍ତି।
ଏଥିରେ ରାହୁଲ ଗାନ୍ଧି ଲେଖିଛନ୍ତି ଯେ ‘ସତ୍ୟ ଓ ଅହିଂସା ଆଗରେ ଅସତ୍ୟ ଓ ହିଂସା ଟିକି ପାରିବିନି’। ସେ କହିଛନ୍ତି ଯେ ‘ମାର ଓ ଭାଙ୍ଗ,ଯେତେ ମାରିବା ଓ ଭାଙ୍ଗିବା କଥା କରିଯାଅ, ଆମେ ସମ୍ବିଧାନର ରକ୍ଷା କରୁଥିବୁ। ସତ୍ୟମେବ ଜୟତେ’। ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କରାଯାଇଥିବା ଅଭଦ୍ର ଟିପ୍ପଣୀ ବିରୋଧରେ ଶାସକ ଦଳ କାର୍ଯ୍ୟକର୍ତ୍ତା କଂଗ୍ରେସ କାର୍ଯ୍ୟାଳୟ ଉପରେ ଚଢଉ କରିବା ପରେ ପାଟନାରେ ହିଂସା ହୋଇଛି।
ଏକ ଭିଡିଓରେ ଦୁଇ ଦଳର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ କର୍ମୀ ନିଜନିଜ ପାର୍ଟିର ପତାକା ଧରି ଜଣେ ଜଣକ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ପାଟନାସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମୀମାନେ ପ୍ରଦର୍ଶନ କରିବା କାଳରେ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ବିହାରର ମନ୍ତ୍ରୀ ତଥା ବିଜେପି ନେତା ନିତିନ ନବୀନ କହିଛନ୍ତି ଯେ ଜନତା କଂଗ୍ରେସକୁ କଡ଼ା ଜବାବ ଦେବେ। ସେହିପରି କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଏଠାରେ ଯାହା ବି ହେଉଛି ସରକାରଙ୍କ ସମର୍ଥନରେ ହେଉଛି। ଏହାର କଡ଼ା ଜବାବ ଦିଆଯିବ। ଏହା ପୂର୍ବରୁ ଦରଭଙ୍ଗା ପୋଲିସ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିଥିବା ବ୍ୟକ୍ତିକୁ ଗିରଫ କରିଛି।
ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମାରପିଟକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ବିଜେପି ଲାଗି ଏହି କାମ ବାକି ଥିଲା। ସରକାରରେ ଥାଇ ସେମାନେ ଯେପରି ପର୍ଦର୍ଶନ କରୁଛନ୍ତି ବିରୋଧୀ ଦଳରେ ଥିଲେ କଣ କରୁନଥାନ୍ତେ। ତେବେ ଆମର ଲଢେଇ ଭୋଟରଙ୍କ ନିମନ୍ତେ। ଗୁଜରାଟରୁ ଆସି ଲୋକେ ବିହାରରେ ଭୋଟର ପଞ୍ଜିକରଣ କରୁଛନ୍ତି। ଏପଟେ ବିହାରରେ ଲୋକଙ୍କ ନାମ ଭୋଟର ଲିଷ୍ଟରୁ କଟାଯିବାରେ ଲାଗିଛି। ନିର୍ବାଚନ ଆୟୋଗ ଓ ସରକାର ପକ୍ଷପାତ କରୁଛନ୍ତି ବୋଲି ଦିଗବିଜୟ କହିଛନ୍ତି।

Shrutilipi ad