Mohua moitra 750x430

ଅଟକ ବଙ୍ଗୀୟ ଶ୍ରମିକଙ୍କ ତୁରନ୍ତ ମୁକ୍ତି ଦାବି କଲେ ସାଂସଦ ମହୁଆ ମଇତ୍ର

ଦେଶ - ବିଦେଶ

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ବୁଧବାର ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଓଡ଼ିଶାରେ ବେନିୟମ ଭାବେ ଅଟକ ଥିବା ଶ୍ରମିକମାନଙ୍କ ତୁରନ୍ତ ମୁକ୍ତି ଦାବି କରିଛନ୍ତି। ଏକ୍ସ କରିଥିବା ପୋଷ୍ଟରେ ସାଂସଦ ମହୁଆ କହିଛନ୍ତି, ଝାରସୁଗୁଡା ଓରିଏଣ୍ଟ ପୁଲିସ ଷ୍ଟେସନ ପଚରାଉଚୁରା କେନ୍ଦ୍ରରେ ୪୨୧ ଜଣ ବଙ୍ଗୀୟ ଶ୍ରମିକଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୩ ଜଣ ଶ୍ରମିକ ସାଂସଦ ମହୁଆଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାନୀଘାଟ ପଂଚାୟତ ମିର୍ଜାପୁର ଗ୍ରାମପଂଚାୟତର ଅଧିବାସୀ ହୋଇଥିବାରୁ ସେମାନଙ୍କୁ ଶୀଘ୍ର ମୁକ୍ତ କରିବା ଲାଗି ସେ ଦାବି କରିଛନ୍ତି।

ସେ ଏକ୍ସରେ ଲେଖିଛନ୍ତି ଯେ ଗତ ୨୪ ବର୍ଷ ମଧ୍ୟରେ ନବୀନ ସରକାର ଅମଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା କିନ୍ତୁ ଏବେ ଏହା ପ୍ରତ୍ୟେକ ଦିନ ଘଟୁଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ସାଂସଦ ମହୁଆ କହିଛନ୍ତି ଯେ ସେମାନେ ଭାବିବା ଉଚିତ ନୁହେଁ ଯେ ଶ୍ରମିକଙ୍କ ପାଇଁ ଲଢ଼ିବା ପାଇଁ କେହି ନାହାନ୍ତି।

ଅନ୍ୟ ପକ୍ଷରେ ଅଟକ ଥିବା ଶ୍ରମିକଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ନଦିଆର ୨୭ ଜଣ ଶ୍ରମିକଙ୍କ ଚିହ୍ନଟ ଯାଞ୍ଚ ସମ୍ପର୍କିତ ଦସ୍ତାବିଜ ସାଂସଦ ମହୁଆ ନିଜ ଏକ୍ସ ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି। ଯାଞ୍ଚ କରିଥିବା ପୁଲିସ ଅଧିକାରୀ ସେହି ୨୭ ଜଣ ଭାରତର ନାଗରିକ ଅଟନ୍ତି ଓ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ନ ଥିବା ଦର୍ଶାଇଛନ୍ତି।

Shrutilipi ad