Visakapatnam 2025 06 27 19 10 14

ବିଶାଖାପାଟଣାରେ ମହାପ୍ରଭୁଙ୍କ ରଥକୁ ୬କିମି ଟାଣିଲେ ଶ୍ରଦ୍ଧାଳୁ

ଦେଶ - ବିଦେଶ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଲନ କରାଯାଇଛି। ମନ୍ଦିର ପରିଚାଳନା କମିଟି ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଏଠାରେ ବଢି ଭୋରରୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥା ରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜସେବୀ, ଓରିଶା ଷ୍ଟେଭେଡୋର୍ସ ଲିମିଟେଡର ଉପସଭାପତି ତଥା ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକଙ୍କର ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଲା ରକ୍ଷା ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯାଇଥିଲା।
ଅପରାହ୍ନ ୩.୩୦ବେଳେ ଚାରିଠାକୁରଙ୍କର ପହଣ୍ଡି ବିଜେ କରାଯାଇଥିଲା। ପ୍ରଥମେ ଠାକୁର ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା।
ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କର୍ତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା।
ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଅପରାହ୍ନ ୪ଟାରେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫ ହଜାର ଦର୍ଶକଙ୍କର ସମାଗମ ହୋଇଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୬ କିଲୋମିଟର ଦୂରବର୍ତ୍ତୀ ଲସନସ ବେ କଲୋନିରେ ଥିବା ମାଉସୀ ମା ମନ୍ଦିରକୁ ନେଇଥିଲେ। ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଥିବା ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମନେ କରୁଥିବା ଏବଂ ଭକ୍ତି ଭାବରେ ଅଭିଭୂତ ହେଉଥିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଜୀଉ ମାନଙ୍କୁ ରଥରୁ ପୁଣି ପହଣ୍ଡି କରାଯାଇ ଗୁଣ୍ଡିଚା ମନ୍ଦିର ସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ଜୁଲାଇ ୫ ତାରିଖ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।
ଚଳିତ ବର୍ଷ ଘୋଷଯାତ୍ରା ରେ ସ୍ଥାନୀୟ ମାରୱାଡ଼ି ଯୁବମଞ୍ଚ ଓ ପଞ୍ଜାବ ସଂଘ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ସମଗ୍ର ଆୟୋଜନକୁ ସୁଚାରୁ ରୁପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜୀତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡ଼ଃ କରୁଣାକର ପାଢ଼ୀ, ଏସ.ଏନ. ସାହୁ ତଥା ସଦସ୍ୟ ବୃନ୍ଦ ବିଜୟ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ସାହୁ, ବନମାଳୀ ସାହୁ ଓ ଅରୁଣ ଦାସ ପ୍ରମୁଖ ମୁଖ୍ୟଭୂମିକା ଗ୍ରହଣ କରିଥିଲେ।

Shrutilipi ad