Pm modi 1747908125

ଏବେ ମୋଦିର ଶିରାପ୍ରଶିରାରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି…

ଦେଶ - ବିଦେଶ

ଜୟପୁର : ଏବେ ମୋଦିର ଧମନିରେ କେବଳ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି…….ଏକଥା ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ କହିଛନ୍ତି। ରାଜସ୍ଥାନର ବିକାନେରରେ ଆୟୋଜିତ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ମନଇଚ୍ଛା ବର୍ଷିଛନ୍ତି। ସେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଓ ଏଥିପାଇଁ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦକୁ ଦାୟୀ କରିଛନ୍ତି। ସେହିପରି ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରକୁ ମୋଦି ପ୍ରଶଂସା କରିଛନ୍ତି।
ଗୋଟିଏ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯଦିଓ ସେ ସବୁବେଳେ ଶାନ୍ତ ରୁହନ୍ତି, ଦେଶ କଥା ଆସିଲେ ତାଙ୍କ ରକ୍ତ ଗର୍ବ ଓ ପ୍ରତିବଦ୍ଧତାରେ ଗରମ ହୋଇ ଉଠେ। ସେ ଏଥିରେ ଆହୁରି ଯୋଡ଼ିଛନ୍ତି ଯେ ତାଙ୍କ ଧମନିରେ କେବଳ ରକ୍ତ ବହୁନାହିଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି।
ସେ କହିଛନ୍ତି, “ପାକିସ୍ତାନ କେବେ ହେଲେ ଭାରତ ସହ ସିଧାସଳଖ ଲଢ଼େଇରେ ଜିତି ପାରିବ ନାହିଁ। ଯେତେବେଳେ ବି ସିଧା ଲଢ଼େଇ ହୋଇଛି ପାକିସ୍ତାନକୁ ବାରମ୍ବାର ମାତ ଖାଇବାକୁ ପଡ଼ିଛି। ଖାସ ଏଥିପାଇଁ ପାକିସ୍ତାନ ଆତଙ୍କବାଦକୁ ଭାରତ ବିରୋଧୀ ଲଢ଼େଇ ପାଇଁ ଅସ୍ତ୍ର କରିଛି। ସ୍ୱାଧୀନତା ପରଠାରୁ ଏପରି ସ୍ଥିତି ଲାଗି ରହିଛି। ପାକିସ୍ତାନ ଆତଙ୍କ ସୃଷ୍ଟି କରୁଥିଲା, ନିର୍ଦ୍ଦୋଷ ଲୋକଙ୍କ ହତ୍ୟା କରୁଥିଲା, ଭାରତରେ ଭୟର ବାତାବରଣ ସୃଷ୍ଟି କରୁଥିଲା।
କିନ୍ତୁ ପାକିସ୍ତାନ ଗୋଟିଏ କଥା ଭୁଲି ଯାଇଛି। ଏବେ ମା’ ଭାରତୀର ସେବକ ମୋଦି ଏଠାରେ ଛାତି ଦେଖାଇ ଛିଡ଼ା ହୋଇଛି। ମୋଦିର ମୁଣ୍ଡ ଥଣ୍ଡା। ଏହା ସବୁବେଳେ ଥଣ୍ଡା ରୁହେ। କିନ୍ତୁ ମୋଦିର ରକ୍ତ ଗରମ। ଏବେ ମୋଦିର ଧମନିରେ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ବହୁଛି।”
ରାଜସ୍ଥାନ ରାଲିରେ ମୋଦି ଆହୁରି କହିଛନ୍ତି ଯେ “ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ଏବେ ସେମାନେ ମାଟିରେ ମିଶିଛନ୍ତି। ଯେଉଁମାନେ ଭାରତର ଟୋପାଏ ରକ୍ତ ଝରାଇବାକୁ ଚେଷ୍ଟା କରିବେ, ସେମାନଙ୍କୁ ପ୍ରତିଟି ବୁନ୍ଦାର ମୂଲ୍ୟ ଦେବାକୁ ପଡ଼ିବ। ଯେଉଁମାନେ ଭାରତ ନୀରବ ରହିବ ବୋଲି ଭାବୁଥିଲେ ଏବେ ସେମାନେ ନିଜ ନିଜ ଘର ଭିତରେ ଲୁଚିଛନ୍ତି। ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ।
ସିନ୍ଦୂର ଯେତେବେଳେ ବାରୁଦ ହୁଏ, ତା’ର ପରିଣାମ କ’ଣ ହୁଏ ସେକଥା ବିଶ୍ୱ ଦେଖିଲା। ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା। ୩ ସେନାର ଚକ୍ରବ୍ୟୂହରେ ସେମାନେ ଫସିଲେ। ବାହାରି ପାରିଲେନି। ଯେଉଁ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ, ଆଜି ଏହାର ଭଗ୍ନାବଶେଷରେ ସେମାନେ ପୋତି ହୋଇ ଯାଇଛନ୍ତି। ଏହା ଏକ ଶକ୍ତିଶାଳୀ ଭାରତର ରୌଦ୍ର ରୂପ। ଇଏ ହେଉଛି ନୂଆ ଭାରତ। ଏହା ହେଉଛି ଆମର ଶକ୍ତି।
ପ୍ରଥମେ ଆମେ ସେମାନଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିଲୁ। ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ। ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ୱଂସ କରିବାର ନୀତି ଓ ରଣନୀତି। ଅପରେସନ୍‌ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି।
୧- ଆତଙ୍କୀ ହମ୍‌ଲା ହେଲେ କଡ଼ା ଜବାବ ଦିଆଯିବ। ଆମର ସେନା ସମୟ, ପଦ୍ଧତି ଓ ପରିସ୍ଥିତିର ନିଷ୍ପତ୍ତି ନେବ। ୨- ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ। ୩- ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଅଲଗା ଦେଖିବୁ ନାହିଁ। ଆଗକୁ ଆତଙ୍କୀ କାର୍ଯ୍ୟ କଲେ, ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ।
ଯଦି ପାକିସ୍ତାନ ସହ କଥା ହେବୁ ତାହେଲେ ‘ପିଓକେ’କୁ ନେଇ। ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ। ଭାରତୀୟଙ୍କ ରକ୍ତ ସହିତ ଖେଳିବା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ପାକିସ୍ତାନକୁ ଭାରତର ଅଧିକାର ଥିବା ପାଣି ମିଳିବ ନାହିଁ। ଏହା ଭାରତର ପ୍ରତିଜ୍ଞା। ବିଶ୍ୱର କୌଣସି ଶକ୍ତି ଏହାକୁ ବଦଳାଇ ପାରିବ ନାହିଁ। ପାକିସ୍ତାନର ରହିମ ୟାର ଖାନ୍‌ ବାୟୁସେନା ଘାଟି ସୀମା ଆର ପଟେ ଅଛି। ଏହା କେବେ ପୁଣି କାମ କରିବ ତାହା କେହି ଜାଣନ୍ତି ନାହିଁ। ଏହା ICUରେ ରହିଛି। ଭାରତୀୟ ସେନା ଏହାକୁ ଧ୍ୱଂସ କରିଦେଇଛି।”

Shrutilipi ad