Zsbzfh2xpd2hgiy8u1ly

ଅପରେସନ ସିନ୍ଦୂରର ଲାଡେନ ହତ୍ୟା ସହ ସମାନତା ଅଛି: ଧନକର

ଦେଶ - ବିଦେଶ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ୍ ଧନକର ଶନିବାର କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବଂ ପାକିସ୍ତାନରେ ଆମେରିକୀୟ ସେନା ଦ୍ୱାରା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ମଧ୍ୟରେ ସମାନତା ରହିଛି।

ଉପରାଷ୍ଟ୍ରପତି ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣକୁ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ସୀମାପାର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ୨୦୦୧ ସେପ୍ଟେମ୍ବର ୧୧ ​​ତାରିଖରେ ଆମେରିକା ଦ୍ବାରା ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ କରିଛନ୍ତି।
ଲାଡେନର ନାମ ନ ନେଇ ସେ କହିଛନ୍ତି ଯେ, ଆମେରିକାରେ ସେପ୍ଟେମ୍ବର ୧୧ ​​ଆକ୍ରମଣ ଯୋଜନା ଏବଂ କାର୍ଯ୍ୟକାରୀ କରିଥିବା ଜଣେ ବିଶ୍ୱ ଆତଙ୍କବାଦୀଙ୍କ ସହ ମଧ୍ୟ ୨ ମେ’ ୨୦୧୧ରେ ଆମେରିକୀୟ ସେନା ସମାନ ଭାବରେ ମୁକାବିଲା କରିଥିଲେ। ଜୟପୁରିଆ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଭାରତ ଏହା କରିଛି ଏବଂ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିଛି।

ଉପରାଷ୍ଟ୍ରପତି କହିଛନ୍ତି ଯେ, ଏକ ନୂତନ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରାଯାଇଛି। ଉଦ୍ଦେଶ୍ୟ ହେଉଛି ଶାନ୍ତିର ଭାବନା ବଜାୟ ରଖି ଆତଙ୍କବାଦ ଉପରେ ଆକ୍ରମଣ କରିବା। ପ୍ରଥମ ଥର ପାଇଁ, ଅନ୍ତର୍ଜାତୀୟ ସୀମା ପାର କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-‌ତୋଇବାର ଗଡ଼ ଉପରେ ସଠିକ୍ ଆକ୍ରମଣ କରାଯାଇଥିଲା। ଧନକର କହିଛନ୍ତି, ଆକ୍ରମଣ ଏତେ ସଠିକ ଥିଲା ଯେ, କେବଳ ଆତଙ୍କବାଦୀମାନେ କ୍ଷତିଗ୍ରସ୍ତ ହୋଇଥିଲେ।

ଉପରାଷ୍ଟ୍ରପତି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରୁ ବିଶ୍ୱ ସମ୍ପ୍ରଦାୟକୁ ଏକ ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ଏହା କେବଳ ଏକ ଖାଲି ବକ୍ତବ୍ୟ ନୁହେଁ। ବିଶ୍ୱ ଏବେ ଏହା ଅନୁଭବ କରିସାରିଛି। ଧନକର ଏହା ମଧ୍ୟ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସାଧାରଣ ଲୋକଙ୍କ ଉପରେ ସବୁଠାରୁ ଘାତକ ଆକ୍ରମଣ ଥିଲା। ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ।

ଭାରତୀୟ ସେନାର ବୀରତ୍ୱକୁ ସଲାମ କରି ସେ କହିଛନ୍ତି, ଭାରତ ଆତଙ୍କବାଦ ଉପରେ ଏକ ସଠିକ ଆକ୍ରମଣ କରି ଶାନ୍ତି ଏବଂ ସୁରକ୍ଷାର ନୂତନ ମାନଦଣ୍ଡ ସ୍ଥାପନ କରିଛି। ସେ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ମତାମତ ଦେଇ  କହିଛନ୍ତି, ଭାରତ ପାଇଁ ପରିସ୍ଥିତି ଅନୁକୂଳ ନହେବା ପର୍ଯ୍ୟନ୍ତ ଏହାକୁ ପୁନର୍ବିଚାର କରିବା ସମ୍ଭବ ନୁହେଁ।

ରାଜସ୍ଥାନକୁ ବୀରମାନଙ୍କ ଭୂମି ଭାବରେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ମହାରାଣା ପ୍ରତାପ ଏବଂ ମହାରାଜା ସୂରଜମଲଙ୍କ ଭଳି ଐତିହାସିକ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କହିଥିଲେ ଯେ, ଏହି ଭୂମି ବାରମ୍ବାର ଦେଶକୁ ପ୍ରେରଣା ଦେଇ ଆସୁଛି।

Shrutilipi ad