Swami shivananda maharaj 750x430

୧୨୮ ବର୍ଷରେ ଯୋଗଗୁରୁ ଶିବାନନ୍ଦ ମହାରାଜଙ୍କ ପରଲୋକ

ଦେଶ - ବିଦେଶ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ପରଲୋକ ଘଟିଛି। ରବିବାର ୧୨୮ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ହୃଦଘାତ ଯୋଗୁ ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ।

ସ୍ଵାମୀ ଶିବାନନ୍ଦ ସରସ୍ଵତୀ ୧୮୯୭ ମସିହା ଅଗଷ୍ଟ ୮ ତାରିଖରେ ବ୍ରିଟିଶ ଇଣ୍ଡିଆର ସିଲହେଟ୍‌ ଜିଲା(ବର୍ତ୍ତମାନ ବାଂଲାଦେଶରେ)ରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୬ ବର୍ଷ ବୟସରେ ସେ ତାଙ୍କ ମା’ ଓ ବାପାଙ୍କୁ ହରାଇଥିଲେ। ଏହାପରେ ତାଙ୍କୁ ପଶ୍ଚିମବଙ୍ଗର ନବଦ୍ଵୀପଠାରେ ଥିବା ଗୁରୁଜୀଙ୍କ ଆଶ୍ରମକୁ ଅଣାଯାଇଥିଲା। ଗୁରୁ ଓମକାରନନ୍ଦ ଗୋସ୍ଵାମୀ ତାଙ୍କର ଲାଳନପାଳନ ଦାୟିତ୍ଵ ନେଇଥିଲେ। ସ୍କୁଲ ଶିକ୍ଷା ମିଳି ନ ଥିଲେ ହେଁ ସେ ସମସ୍ତ ପ୍ରକାର ବ୍ୟାବହାରିକ ଏବଂ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ଥିଲେ। ତା’ ସହ ଯୋଗବିଦ୍ୟାରେ ବି ସେ ମାହିର ଥିଲେ। ତାଙ୍କୁ ୨୦୧୯ରେ ବେଙ୍ଗାଲୁରୁରେ ‘ଯୋଗରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୋଗ କ୍ଷେତ୍ରରେ ଅବଦାନ ପାଇଁ ୨୦୨୨ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ଵାମୀ ଶିବାନନ୍ଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ସ୍ଵାମୀ ଶିବାନନ୍ଦଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Shrutilipi ad