2 171 1753276394947

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ଖେଳ ଦେଶ - ବିଦେଶ

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ ଅନୁସାରେ ଏକ ଜାତୀୟ ଖେଳ ବୋର୍ଡ (ଏନଏସବି) ଗଠିତ ହେବ, ଯାହା ପାଖରେ ରାଷ୍ଟ୍ରୀୟ ଖେଳ ମହାସଂଘ(ଏନଏସଏଫଏସ) ରହିବ ଯେଉଁଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ରହିଛି,ଯାହା ଲାଗି ନିୟମ କରିବା ଦେଖରେଖ ନିମନ୍ତେ ବ୍ୟାପକ ଶକ୍ତି ମଧ୍ୟ ରହିବ।

ଏହି ବିଧେୟକ ରାଷ୍ଟ୍ରୀୟ କ୍ରିଡା ମହାସଂଘ ନିମନ୍ତେ କଡ଼ା ଉତ୍ତରଦାୟୀ ପ୍ରଣାଳୀ ସ୍ଥାପନ କରିବା ଲାଗି ପ୍ରସ୍ତାବ କରୁଛି। ଏଣୁ ସବୁ ମାନ୍ୟତା ପ୍ରାପ୍ତ ଖେଳ ମହାସଂଘଙ୍କୁ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ପ୍ରାପ୍ତ କରିବା ପାଇଁ ଏଣିକି ଏନଏସବିରୁ ମାନ୍ୟତା ନେବାକୁ ପଡିବ। ଏନଏସବିରେ ଜଣେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ ରହିବେ, ଯେଉଁମାନଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ। ବିଧେୟକରେ ଏକ ଜାତୀୟ କ୍ରିଡା ଟ୍ରିବ୍ୟୁନାଲ ଗଠନର ମଧ୍ୟ ପ୍ରସ୍ତାବ ରହିଛି, ଯାହାକୁ ସିଭିଲ କୋର୍ଟର କ୍ଷମତା ମିଳିବ। ଏହି ଟ୍ରିବ୍ୟୁନାଲ ମନୋନୟନରୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ ଖେଳ ମହାସଂଘ ଓ ଖେଳାଳିଙ୍କ ବିବାଦର ସମାଧାନ କରିବ।

ଏହି ଟ୍ରିବ୍ୟୁନାଲର ରାୟକୁ କେବଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏହି ବିଧେୟକ ବିସିସିଆଇକୁ ମଧ୍ୟ ନିଜ ପରିସରକୁ ଆଣିବ, ଯାହା ଏ ପର୍ଯ୍ୟନ୍ତ ସରକାର ପାଣ୍ଠି ନେଉ ନଥିବାର ବାହାନା କରି ନିଜକୁ ସ୍ୱାୟତ ବୋଲି ଦାବି କରୁଛି। କାରଣ କ୍ରିକେଟକୁ ୨୦୨୮ ଲସଏଞ୍ଜେଲସ୍ ଅଲିମ୍ପିକରେ ସାମିଲ କରାଯାଇଛି। ଏଣୁ ବିସିସିଆଇକୁ ମଧ୍ୟ ଏହି ବିଧେୟକର ନିୟମ ପାଳନ କରିବାକୁ ପଡିବ।

ଏହା ସହିତ ସବୁ ମାନ୍ୟତା ପ୍ରାପ୍ତ କ୍ରିଡା ସଂସ୍ଥା ସୂଚନା ଅଧିକାର ଅଧିନିୟମ ପରିସରକୁ ଆସିବେ, ଯାହାକୁ ବିସିସିଆଇ ପ୍ରଥମରୁ ବିରୋଧ କରି ଆସୁଛି। ଜାତୀୟ ଖେଳ କୋଡରେ ପ୍ରଥମେ ପ୍ରଶାସକଙ୍କ ସର୍ବାଧିକ ବୟସ ସୀମା ୭୦ ବର୍ଷ ଥିଲା। ତେବେ ନୂଆ ବିଧେୟକରେ ୭୦-୭୫ ବର୍ଷ ବୟଷ୍କଙ୍କୁ ମଧ୍ୟ ନିର୍ବାଚନ ଲଢିବାକୁ ଅନୁମତି ଦେଉଛି, ତେବେ ଅନ୍ତର୍ଜାତୀୟ ଖେଳ ସଂସ୍ଥାଙ୍କ ଏଥିପାଇଁ ଅନୁମତି ଥିବା ଦରକାର । ଏଥିରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଯିଏ ନିକଟରେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ତାଙ୍କୁ ତାଙ୍କ କାର୍ଯ୍ୟକାଳ ଜାରି ରଖିବାକୁ ସୁଯୋଗ ମିଳିବ।

Shrutilipi ad