ଆଗରପଡ଼ା :ନଦୀ କୂଳ ହୁଡ଼ାରୁ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ କଳାହାଣ୍ଡିଆ ଗାଁ ନିକଟ କପାଳୀ ନଦୀ ନିକଟରୁ ଜନୈକ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ ପହଂଚି ଛାନଭିନ୍ ଆରମ୍ଭ କରିଛି । ସୂଚନାରୁ ଜଣାପଡିଛି ବନ୍ତ ଥାନା ଅନ୍ତର୍ଗତ ସେଣ୍ଡତୀରା ପଂଚାୟତ ଫୁଲଗଡ଼ିଆ ଗାଁର ନାଜିର ମୁଣ୍ଡାଙ୍କ ଝିଅ ରାଧା(୩୭)ଙ୍କୁ କଳାହାଣ୍ଡିଆ ଗାଁର ରାମ ବେହେରା ୪ବର୍ଷ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ । କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଆଜକୁ କିଛି ଦିନ ହେବ ନିଖୋଜ ଥିଲେ ରାଧା । ଶୁକ୍ରବାର ରାଧାଙ୍କ ପରିବାର ଲୋକେ କୌଣସି ସୂତ୍ରରୁ କଳାହାଣ୍ଡିଆ ଗାଁ ସାଳନ୍ଦୀ ନଦୀ ନିକଟରେ ତାଙ୍କ ଝିଅର କଙ୍କାଳ ପଡ଼ିଥିବା ଜାଣି ଘଟଣା ସ୍ଥଳରେ ପହଂଚି ଏହାକୁ ଚିହ୍ନଟ କରି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍ ୧୯୮/୨୦୨୫ ମୂଳେ ଏକ ହତ୍ୟା ମାମଲା ରୁଜ୍ଜୁ କରି ରାଧାଙ୍କ ସ୍ୱାମୀ ରାମ ବେହେରାଙ୍କୁ ଫାଣ୍ଡିରେ ଅଟକ ରଖି ପଚରାଉଚରା ଜାରୀ ରଖିଛି । ସପଟେ ଏହି ଘଟଣାରେ କେନ୍ଦୁଆପଦା ଫାଣ୍ଡି,ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଂଚି ଛାନ୍ ଭିନ୍ ଆରମ୍ଭ କରିଥିବା ଜଣାପଡ଼ିଛି ।

