- ଓଡିଶୀ, ଛଉ, ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
ବାରିପଦା : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ବାରିପଦା ଠାରେ ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଉଦଘାଟିତ ହୋଇ ଯାଇଛି. ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବରେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୁଖ୍ୟ ଅତିଥି ଭାବରେ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ସାହିତ୍ୟିକ ଅଶୋକ ପଲେଇ, ମହୋତ୍ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତି ହିଁ ଗୋଟିଏ ଭୂଖଣ୍ଡର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ 23 ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଆସୁଛି ବୋଲି କହିଥିଲେ. ସହ ସମ୍ପାଦକ ଡ଼. ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, ଶ୍ରଦ୍ଧା ମିଶ୍ର, ଆଦ୍ୟାଶା ଦାସ, ଅନ୍ଵେଷା ଦାସ, ମାମୁନି ମହାନ୍ତ, ଜ୍ୟୋତିଶ୍ରୀ ରାଉତ ଏବଂ ସୁଦର୍ଶନ ଗାଁଣ ସ୍ୱାଗତ ସଂଗୀତ ଗାନ କରିଥିଲେ. ଶେଷରେ ମହୋତ୍ସବ କମିଟିର ସମ୍ପାଦକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଅବସରରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞ, ଓଡ଼ିଆ ନବବର୍ଷ ପାଳନ, ବିଭିନ୍ନ ବର୍ଗର କଳାକାର ମାନଙ୍କର ନୃତ୍ୟ ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିଲେ. ମୟୁରଭଞ୍ଜର ପରମ୍ପରିକ ଛଉ ନୃତ୍ୟ, ଓଡିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା. ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ଉପାଧ୍ୟକ୍ଷ ମିଥୁନ ବାରିକ, ସମ୍ପାଦକ ସନତ ବାରିକ, ସଦସ୍ୟ ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ.

