ବାରିପଦା : ଭାରତ ର ସମ୍ବିଧାନ ପ୍ରଣେତା ତଥା ସାମାଜିକ ସଂସ୍କାରକ ଓ ମହାନ ରାଷ୍ଟ୍ରନୀତିଜ୍ଞ ଭାରତରତ୍ନ ବାବାସାହେବ ଡ଼କ୍ଟର ଭୀମ ରାଓ ରାମଜୀ ଆମ୍ବେଦକର ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବାରିପଦା ପୌରପାଳିକା ଙ୍କ ମିଳିତ ଆନୁକୂଲ୍ୟରେ ରେ ମହାସମାରୋହ ରେ ପାଳିତ ହୋଇଯାଇଛି |
ଏହି ଉପଲକ୍ଷେ ଆଜି ସକାଳ ଆଠ ଘଟିକା ସମୟ ରେ ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୫ ପୂର୍ଣ୍ଣଚନ୍ଦ୍ରପୁର ଠାରେ ଅବସ୍ଥାପିତ ଡ଼କ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଜିଲ୍ଲା ସ୍ତରୀୟ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା,ବାରିପଦା ପୌରପାଳିକାର ଅଧ୍ୟକ୍ଷ, ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ବାରିପଦା ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକରୀ ଶ୍ରୀ ଦେବୀ ପ୍ରସାଦ ରାଉତ, କାଉନସିଲର ଶ୍ରୀମତୀ ନିରୁପମା ମହାନ୍ତି ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ରାଷ୍ଟ୍ରନାୟକ ଡ଼. ବି ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ସାମୁହିକ ମାଲ୍ୟାର୍ପଣରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ କାନ୍ଦ୍ରା ସୋରେନ, ଶ୍ରୀ କବି ବିଷ୍ଣୁ ଶତପଥି,ଶ୍ରୀ ରଜନୀ କାନ୍ତ ବିଶ୍ୱାଳ, ବାରିପଦା ପୌରପାଳିକାର ଅନ୍ୟାନ୍ୟ କାଉନସିଲର ବୃନ୍ଦ, ପ୍ରତିଶ୍ରୁତି ପ୍ରତିଷ୍ଠାନ ର ସମ୍ପାଦକ ଶ୍ରୀ ଭାଗବତ ପ୍ରସାଦ ପଣ୍ଡା, ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ସନ୍ଦୀପ କୁମାର ଚାନ୍ଦ, ଆମ୍ବେଦକର ସମିତିର ସଭାପତି /ସମ୍ପାଦକ, ସ୍ଥାନୀୟ ତ୍ରିରଙ୍ଗା କ୍ଲବ ର ସଭାପତି/ସମ୍ପାଦକ ଓ ସଦସ୍ୟ ବୃନ୍ଦ , ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନ ର ମୁଖ୍ୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ବିଭିନ୍ନ ସରକାରୀ ପଦାଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ |
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଡ.ଆମ୍ବେଦକରଙ୍କ ଜୀବନର ଆଦର୍ଶ ଓ ମହନୀୟତା ସମ୍ବନ୍ଧରେ ସ୍ମୃତି ଚାରଣ କରି ଦୀନ ଦରିଦ୍ର ତଥା ଦଳିତ ମାନଙ୍କ ଉତଥାନ ପାଇଁ ସେ ଯେଉଁ ମହତ କାର୍ଯ୍ୟ କରି ଯାଇଛନ୍ତି ସେଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିବା ସହିତ ସେହି ମହାନ ରାଷ୍ଟ୍ରନାୟକ ଅଧ୍ୟକ୍ଷତା ରେ ପ୍ରସ୍ତୁତ ଭାରତୀୟ ସମ୍ବିଧାନ ଆମ ଦେଶବାସୀଙ୍କ ପାଇଁ ଏକ ମହତ୍ତ୍ୱ ପୂର୍ଣ୍ଣ ଅବଦାନ ବୋଲି ମତ ବ୍ୟକ୍ତ କରିଥିଲେ।
ଅନ୍ୟାନ୍ୟ ମଂଚାସୀନ ଅତିଥି ମାନେ ମଧ୍ଯ ଏହି ମହାନ ରାଷ୍ଟ୍ରନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ଆମ ଦେଶ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ |
ଏହି ଅବସରରେ ଡ଼କ୍ଟର ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ପୁରସ୍କୃତ କରିଥିଲେ |
ଏଥି ସହିତ ମାନ୍ୟବର ମନ୍ତୀ ସ୍ଥାନୀୟ ଅଂଚଳର କିଛି ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୁକ୍ତ କାର୍ଡ ବଣ୍ଟନ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ତ୍ରିରଙ୍ଗା କ୍ଳବ ର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ |

