ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର

ରାଜ୍ୟ
ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । “ବିକଶିତ ଭାରତ ପାଇଁ ନାରୀ ସଶକ୍ତୀକରଣ: ଆଗକୁ ବଢ଼ିବାର ପଥ” ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ବିକାଶ ଯାତ୍ରାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବାରେ ଶିକ୍ଷା ଏବଂ ନୀତିଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଣ୍ଟର ଫର୍‌ ୟୁଥ୍‌ ଆଣ୍ଡ୍‌ ସୋସିଆଲ୍‌ ଡେଭେଲପ୍‌ମେଣ୍ଟ୍‌ର ସହ-ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନାରୀ ସଶକ୍ତୀକରଣ ପାଇଁ ତୃଣମୂଳ ସ୍ତରରେ ନେତୃତ୍ୱ ଏବଂ ସମ୍ପ୍ରଦାୟର ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶୁତୋଷ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ କାର୍ଯ୍ୟ ହସ୍ତକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ମହିଳା ସଶକ୍ତୀକରଣର ସାମାଜିକ-ରାଜନୈତିକ ଏବଂ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ । ନିସ୍ୱାସ ଭୁବନେଶ୍ୱରର ଡ. ବି.ଆର. ଆମ୍ବେଦକର ଚେୟାର ପ୍ରଫେସର ସଶ୍ମି ନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତୀକରଣ ଦିଗରେ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ ଏବଂ ନାଗରିକ ସମାଜକୁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗର ସଂଯୋଜକ ତଥା ଆବାହକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦକ ଡ. ଶୁଭେନ୍ଦୁ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠକ ଯଥା ଅନ୍ତୋଦୟ ଚେତନା ମଣ୍ଡଳୀର ଅଧ୍ୟକ୍ଷ ଡ. ଆଦିତ୍ୟ ପଟ୍ଟନାୟକ, ମୟୂରଭଞ୍ଜ ବାୟୋଲୋଜିକାଲ୍ ରିସର୍ଚ୍ଚ୍‌ର ମୁଖ୍ୟ ସମୀର କୁମାର ସାହୁ, ସାଧନାର ସମ୍ପାଦକ ରଣଜିତ ମହାପାତ୍ର ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନର ଓଡ଼ିଶା ଇନ୍‌ଚାର୍ଜ୍‌ ରାଜକମଲ ଶର୍ମାଙ୍କୁ ସମ୍ମାନିତ କରାଯାଇଥିଲା । ସାମାଜିକ କାର୍ଯ୍ୟ ବିଭାଗର ଅଧ୍ୟାପକ ସୁଜୟ କୁମାର କୁଣ୍ଡୁ, ଅଧ୍ୟାପିକା ପାୟେଲ୍‌ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଗବେଷକ/ଗବେଷିକା ଯୋଗଦାନ କରିଛନ୍ତି । ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
Shrutilipi ad