ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର, ହଜି ଯାଉଛି କୃଷି ଦ୍ରବ୍ୟର ସ୍ୱାଦ

ରାଜ୍ୟ

ଆଗରପଡ଼ା :ପ୍ରକୃତିର ପରିବର୍ତ୍ତନର ପ୍ରଭାବଚାଷ କ୍ଷେତ୍ରରେ ବହୁଳ ଭାବରେ ପଢୁଛି । ତେଣୁ ଋତୁଗତ ସମସ୍ୟାକୁ ଆଖି ଆଗରେ ରଖି ସ୍ୱଚ୍ଛ ପରିଶ୍ରମରେ ଅଧିକ ଲାଭ ଆଶାରେ ଚାଷୀ କୃଷି କ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଥିବାରୁ ଏହାର ଫଳ ସ୍ୱରୂପ ଦିନକୁ ଦିନ ମାଟିର ମହକ ହଜି ହଜି ଯାଉଛି । ଯାହାଦ୍ୱାରା ଉତ୍ପାଦିତ କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ କମି କମି ଯାଉଛି । ମାଟିର ନିଜର ପ୍ରାକୃତିକ ଉର୍ବରତା କେବଳ ଜୈବିକ ସାର ପ୍ରୟୋଗ ଫଳରେ ସୁରକ୍ଷିତ ରହିଥାଏ ଓ ପ୍ରକୃତି କୋଳରେ ସବୁଜ କୃଷି ଉତ୍ପାଦନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ପ୍ରକୃତିର ପରିବର୍ତ୍ତନ ଯୋଗୁଁ ଏଥିରେ ବର୍ତମାନ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଭଳି ଏକ ବ୍ୟତିକ୍ରମ ଭିତରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଉଛି ସତ, ମାତ୍ର ଏହାଦ୍ୱାରା ମାଟିର ଗୁଣବତ୍ତା କମିଯାଉଥିବା ବେଳେ ଉତ୍ପାଦିତ ଦ୍ରବ୍ୟ ପ୍ରଭାବିତ ହେଉଛି । ଗୋଟିଏ କ୍ଷେତରେ ବାରମ୍ବାର ଗୋଟିଏ ପ୍ରକାର ଫସଲ କରିବା ସହ ପର୍ଯ୍ୟାୟକ୍ରମେ ଏଥିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେବା ଦ୍ୱାରା ଏପରି ଅବସ୍ଥା ସୃଷ୍ଟି ହେଉଥ?ିବାର ଜଣାପଡ଼ିଛି ।

ବନ୍ତ ଅଞ୍ଚଚଳ ଏକ କୃଷି ପ୍ରାଧାନ୍ୟ ଅଂଚଳ । ଦିନ ଥିଲା ଏହି ଅଞ୍ଚଳରୁ ଉତ୍ପାଦିତ ହେଉଥ?ିବା କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ ଥିଲା ନିଆରା । ଚାଷୀ ଦେଶୀ ବିହନ ଚାଷ କରି ସେଥିରୁ ସେ ବିହନ ରଖୁଥିଲେ । କ୍ଷେତରେ ବିଭିନ୍ନ ପ୍ରକାର ଜୈବ ଖତ ବ୍ୟବହାର କରୁଥିଲେ । ସେଥିରେ ଯେଉଁ କୃଷି ଦ୍ରବ୍ୟ ଉତ୍ପାଦନ ହେଉଥିଲା ଖାଉଟି ଉକ୍ତ କୃଷି ଦ୍ରବ୍ୟ ପ୍ରତି ଆକୃଷ୍ଟ ହେଉଥିଲେ । ଜୈବିକ ପଦ୍ଧତିରେ ଉତ୍ପାଦିତ କୃଷି ଦ୍ରବ୍ୟକୁ ଗାଁ ଗହଳି ଓ ଛକ ବଜାର ଠାରୁ ଆରମ୍ଭ କରି ଆଗରପଡ଼ା ଓ ବନ୍ତ ଅଂଚଳରେ ବା ସାପ୍ତାହିକ ହାଟରେ ବିକ୍ରିବଟା କରୁଥିଲେ । କିନ୍ତୁ ସମୟଚକ୍ରରେ ହଜି ଯାଉଛି ଜୈବିକ ସାର ବ୍ୟହବାର କୃଷି ଦ୍ରବ୍ୟ । ଘର ଅଗଣାରେ ଶାଗ, ଲଙ୍କା, ଧନିଆପତ୍ର ଆଦି ଘରେ ବ୍ୟବହାର ପାଇଁ ଲଗାଇଲେ ମଧ୍ୟ ଚାଷୀ ଜୈବିକ ସାର ବଦଳରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ସେହିପରି କ୍ଷେତରେ ରାସାୟନିକ ଘାସମରା ଔଷଧର ବ୍ୟବହାର କ୍ଷେତକୁ ପ୍ରଭାବିତ କରୁଛି । ଯଦ୍ୱାରା ଦିନକୁ ଦିନ କ୍ଷେତରୁ ହିତକାରୀ କୀଟଙ୍କ ବଂଶ ଲୋପ ପାଇ ଚାଲିଛି । ଚାଷୀ ତା\’ କ୍ଷେତ୍ରରେ ଆଉ ଗୋବର ଖତର ବ୍ୟବହାର କରୁନାହିଁ । ତେଣୁ ଚାଷୀକୁ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ପ୍ରବର୍ତାଇବା ସହ ଓ ଚାଷକ୍ଷେତରେ ବହୁଳ ପରିମାଣର ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଠାରୁ ଦୂରେଇ ରଖୁବାକୁ ଚେଷ୍ଟିତ ହେବାପାଇଁ ପ୍ରଶାସନ ବ୍ୟାପକ ସଚେତନତା ସୃଷ୍ଟି କରିବାର ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ସମେତ ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି ।

Shrutilipi ad