ପ୍ରତିଷ୍ଠାକୁ ୬୯ ବର୍ଷ ପୂରିଲା, ପରିଚୟ ଖୋଜିବାରେ ଲାଗିଛି ବିହନ ବିଶୋଧନାଗାର

ରାଜ୍ୟ

ଆଗରପଡ଼ା :ସରକାର କୃଷି ଓ କୃଷକ ଉଭୟଙ୍କୁୁ ପ୍ରଧାନ୍ୟ ଦେବାକୁ ଯାଇ ବିଭିନ୍ନ ପ୍ରକାର ଯୁକାନ୍ତକାରୀ ଯୋଜନା ପ୍ରଣୟନ କରିବା ସହ ଆହୁରି ଅନେକ ନୂତନ ଯୋଜନା ମାଧ୍ୟମରେ କୃଷିକ୍ଷେତ୍ରରେ ଉନ୍ନତି ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନଥିବା ଜଣା ପଡ଼ିଛି । ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଶେଉଳଗଡ଼ିଆ ସରକାରୀ ବିହନ ବିଶୋଧନାଗାର ଠାରେ ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ବନ୍ତ ବ୍ଳକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ୧୯୫୫ ମସିହାରେ ଉକ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା କରିଥିଲେ । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ୬୯ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି । ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶ ବି ନାହିଁ । ବାରମ୍ବାର ବିଭିନ୍ନ ଦୈନିକ ‘ସକାଳ’ରେ ମୁକୁଳା ପରିବେଶକୁ ନେଇ ଖବର ପ୍ରକାଶିତ ହେବା ପରେ ଏହାର ଚାରିପାଖରେ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ବର୍ଷେ ବିତିବାକୁ ବସିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ହେଉ କିମ୍ବା ଇଚ୍ଛାଶକ୍ତିର ଅଭାବ ଯାହାବି ହେଉ ତାହା ଆଜି ପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିଲା ନାହିଁ । ଯଦ୍ୱାରା ପୂର୍ବପରି ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି ।

Photo2 For The News Of Krusifarm

ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏ , କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ଯଦ୍ୱାରା ସମୟଚକ୍ରରେ ହଜିଯାଇଛି ବିହନ ବିଶୋଧନାଗାରର ପୁରୁଣା ଏ୍ୟୌତିହ୍ୟ । ବର୍ତ୍ତମାନ ସେ ତାର ପରିଚୟ ଖୋଜିବାରେ ଲାଗିଛି । ବିହନ ବିଶୋଧନାଗାରର ମୁଖ୍ୟ ଆଭିମୁଖ୍ୟ ହେଲା ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା । କିନ୍ତୁ ବିଭିନ୍ନ ପରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ଗୋଟିଏ ଟ୍ରାକ୍ଟର, ଗୋଟିଏ ଧାନ କଟା ରିପର, ଧାନ ଅମଳ ପାଇଁ ଗୋଟିଏ ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ଏବଂ ଉକ୍ତ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଗତ କିଛି ବର୍ଷ ହେବ ୩୫ ଏକର ଜମିରେ ଧାନ ଚାଷ କରାଯାଉଥିବା ବେଳେ ଏହାର ଚାରିପଟରେ ନିର୍ମିତସୁରକ୍ଷା ପାଚେରୀ ସମ୍ପୂର୍ଣ୍ଣ ହେଉନଥିବାରୁ ଅମଳରେ କ୍ଷୟକ୍ଷତି ମଧ୍ୟ ଘଟୁଛି ତେଣୁ ସ୍ଥାୟୀ ପାଚେରୀ ନିର୍ମାଣ ସମ୍ପୂର୍ଣ୍ଣ ହେବା ଜରୁରୀ ହୋଇପଡ଼ିଛି । ବିଡ଼ମ୍ବନାର ବିଷୟ ଏହିକିଯେ ଉକ୍ତ ବିହନ ବିଶୋଧନାଗାର ଜଣେ କୃଷି ଓଭରସିୟରଙ୍କ ଦାଇତ୍ୱରେ ଚାଲିଛି । ବିଭାଗ ତରଫରୁ ଆଉ କୌଣସି ସରକାରୀ କର୍ମଚାରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଉନାହିଁ । ତେଣୁ ନିଜର ପରିଚୟ ଖୋଜୁଥିବା ବିହନ ବିଶୋଧନାଗାରର ପୂର୍ବ ଏ୍ୟୌତିହ୍ୟ ଫେରାଇ ଆଣିବାକୁ ସରକାରଙ୍କ ତରଫରୁ ଏଠାରେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସୁବିଧା ଉପଳବ୍ଧ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Shrutilipi ad