ହାଇକୋର୍ଟଙ୍କ ଆଦେଶକୁ ଅବମାନନା ପ୍ରସଙ୍ଗ, କୋର୍ଟରେ ହାଜର ହେଲେ ଆଗରପଡ଼ା କଲେଜ ଅଧ୍ୟକ୍ଷ

ରାଜ୍ୟ
  • ଅର୍ଥ ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଆଗରପଡ଼ା :ଯୁକ୍ତ ୩ ପ୍ରମାଣପତ୍ର ପ୍ରଦାନକୁ ନେଇ କନକଲତା ସାମଲ ହାଇକୋର୍ଟରେ ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ମାମଲାରେ ଭଦ୍ରକ ଜିଲ୍ଲା ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କ ହାଇକୋର୍ଟରେ ହାଜର ହେବା ଜରୁରୀ ଥିବା ହେତୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେବା ସତ୍ତ୍ୱେ ଅଧ୍ୟକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ହାଇକୋର୍ଟ ତିକ୍ତତା ପ୍ରକାଶ କରିବା ସହିତ ଗତ ୧୨ ତାରିଖରେ ତାଙ୍କ ଆଦେଶ ନାମାରେ ଆଗରପଡ଼ା ଥାନା ଅଧିକାରୀଙ୍କୁ ତାଙ୍କୁ(ଅଧ୍ୟକ୍ଷ) ଆସନ୍ତା ୨୧ ତାରିଖ ଦିନ ଉକ୍ତ ମାମଲାର ବିଚାର ସମୟରେ କୋର୍ଟରେ ଉପସ୍ଥିତ କରାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ଉକ୍ତ ନିର୍ଦ୍ଦେଶାନୁସାରେ ଆଗରପଡ଼ା ଥାନା ଅଧିକାରୀ କଲେଜ ଅଧ୍ୟକ୍ଷ(ଆଗରପଡ଼ା କଲେଜ)ଙ୍କୁ ୨୧ ତାରିଖରେ କୋର୍ଟରେ ହାଜର କରାଇଥିଲେ । ହାଜର ହେବା ପରେ ଅଧ୍ୟକ୍ଷ କୋର୍ଟରେ ନିଜ ପକ୍ଷ ରଖିବା ସହ କଲେଜ ପରୀକ୍ଷା ସମ୍ବନ୍ଧରେ ବ୍ୟସ୍ତତା ହେତୁ ସେ କୋର୍ଟରେ ହାଜର ହୋଇ ପାରିନଥିବା ଉଲ୍ଲେଖ କରିବା ସହିତ ଏହିପରି ଭୂଲ ଯୋଗୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ପରେ କୋର୍ଟର ଆଦେଶକୁ ଅବମାନନା କରିଥିବାରୁ ଏବଂ ପୋଲିସ ତାଙ୍କୁ କୋର୍ଟରେ ହାଜର କରାଇଥିବାରୁ ସେଥିପାଇଁ ପୋଲିସକୁ ୨ହଜାର ଟଙ୍କା ପ୍ରଦାନ କରିବା(ଜରିମାନା ଆକାରରେ)ସହ ଏହାର ଏକକିତା ନକଲ କୋର୍ଟରେ ଦାଖଲ କରିବା ଏବଂ ପୋଲିସ ଅଧ୍ୟକ୍ଷଙ୍କୁ କୋର୍ଟରେ ହାଜର କରାଇବା ବାବଦରେ କୌଣସି ଗ୍ରସ୍ତ ଖର୍ଚ୍ଚ ଦାବି ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସେହିପରି ଆସନ୍ତା ଏପ୍ରିଲ ମାସ ୨୧ ତାରିଖରେ କଲେଜ ଅଧ୍ୟକ୍ଷ କୋର୍ଟରେ ନିଜ ପକ୍ଷ ରଖିବା ବେଳେ ସତ୍ୟପାଠରେ ଉଲ୍ଲେଖ କରିଥିବା କାରଣର ସତ୍ୟତା ଉପରେ ନିଜ ପକ୍ଷ ରଖିବାକୁ କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟ ଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏଠାରେ ପ୍ରକାଶ ଥାଉକି; ଅଭିଯୋଗକାରୀ କନକଲତା ସାମଲ ଯୁକ୍ତ ୩ କଳାର ମୂଳ ପ୍ରମାଣପତ୍ର ପ୍ରଦାନ ପାଇଁ କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟଙ୍କୁ ପକ୍ଷ କରି ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । କନକଲତା ଗତ ୧୯୯୦ ମସିହାରେ +୩ କଳାର ଶେଷ ବର୍ଷର ପରୀକ୍ଷା ଆଗରପଡ଼ା କଲେଜ,ଆଗରପଡ଼ାରେ ଦେଇଥିଲେ । ଏବଂ ସେ ସେଥିରେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜାରୀ କରାଯାଇଥିବା ପ୍ରୋଭିଜନାଲ ପ୍ରମାଣପତ୍ରକୁ ସେ ଆଗରପଡ଼ା କଲେଜରୁ ପ୍ରାପ୍ତ କରିଥିଲେ ବୋଲି ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ପରେ କନକଲତା ଏହାର ମୂଳ ପ୍ରମାଣପତ୍ର ପାଇଁ ଆବଶ୍ୟକ ଅର୍ଥ ଦାଖଲ କରିଥିଲେ ମଧ୍ୟ କଲେଜ ପକ୍ଷରୁ ତାଙ୍କୁ ତାହା ପ୍ରଦାନ କରାଯାଇନଥିଲା । ଅପରପକ୍ଷ(କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟ)ଙ୍କ କହିବା ଅନୁଯାୟୀ କନକଲତା ୧୯୮୯ ମସିହାରେ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିଲେ ଏବଂ ତାଙ୍କର ଗୋଟିଏ ପେପର ବ୍ୟାକ ରହିଯାଇଥିଲା ଏବଂ ୧୯୯୦ ମସିହାରେ ଦେଇଥିବା ପରୀକ୍ଷାରେ ମଧ୍ୟ ସେ କୃତକାର୍ଯ୍ୟ ହୋଇନାହାନ୍ତି । ସେ କୋର୍ଟକୁ ପ୍ରଦାନ କରିଥିବା ପ୍ରୋଭିଜନାଲ ପ୍ରମାଣପତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କେବେବି ତାଙ୍କୁ ପ୍ରଦାନ କରାଯାଇନଥିବା ପ୍ରକାଶ କରିଥିଲେ । ତେଣୁ କନକଲତା କୌଣସି ପାସ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି କଣ୍ଟ୍ରୋଲର ଅଫ ଏକ୍ସାମିନେସନ,ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କ ସାକ୍ଷ୍ୟରେ ଉଲ୍ଲେଖ କରିଥିଲେ । କିନ୍ତୁ କନକଲତା ପ୍ରାପ୍ତ କରିଥିବା ପ୍ରୋଭିଜନାଲ ପ୍ରମାଣପତ୍ରଟିକୁ ଆଗରପଡ଼ା କଲେଜ ପକ୍ଷରୁ ପ୍ରଦାନ କରାଯାଇଥିବାରୁ କଲେଜ ଅଧ୍ୟକ୍ଷଙ୍କୁ ୨ୟ ପକ୍ଷ କରାଯାଇଥିଲା । ଏବଂ ଉକ୍ତ ମାମଲାରେ ତାଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ କଲେଜ ଅଧ୍ୟକ୍ଷ ଏହାକୁ ଜରୁରୀ ମନେ ନକରି ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରି ପ୍ରତି ତାରିଖରେ କୋର୍ଟରେ ଅନୁପସ୍ଥିତ ରହିବାରୁ ଗତ ୧୨ ତାରିଖରେ ହାଇକୋର୍ଟ ତାଙ୍କ ଆଦେଶ ନାମାରେ ଆଗରପଡ଼ା ଥାନା ଅଧିକାରୀଙ୍କୁ ତାଙ୍କୁ(ଅଧ୍ୟକ୍ଷ) ଆସନ୍ତା ୨୧ ତାରିଖ ଦିନ ଉକ୍ତ ମାମଲାର ବିଚାର ସମୟରେ କୋର୍ଟରେ ଉପସ୍ଥିତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Shrutilipi ad