ବିଦ୍ୟୁତ ଖୁଣ୍ଟ କାର୍ଯ୍ୟ ନିମ୍ନ ମାନର, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଅଭିଯୋଗ ଆଣିଲେ ଉପଭୋକ୍ତା

ରାଜ୍ୟ

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନସ୍ଥ ନିଳୋକ ପଂଚାୟତ ସମେତ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟ ପକାଇବା କାର୍ଯ୍ୟ ନିମ୍ନ ମାନ ହେଉଥିବା ଏବଂ ସଂପୃକ୍ତ ଠିକାଦାର ଉକ୍ତ ନିମ୍ନମାନର କାମ କରି କୋଟି କୋଟି ଟଙ୍କା ଆତ୍ମସାତ କରିବା ଅଭିଯୋଗ ଆଣିଲେ ଉପଭୋକ୍ତା । ଉକ୍ତ ସମସ୍ୟା ବିଷୟରେ ବିଭାଗୀୟ ଜୁନିଅର ମ୍ୟାନେଜରଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହିତ ଏହା ଉପରେ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଜଣାଇଛନ୍ତି ଉପଭୋକ୍ତା । ବନ୍ତ ବିଦ୍ୟୁତ ସେକ୍ସନ ଅଧୀନରେ ନିଳୋକ ଗ୍ରାମ ଅଂଚଳରେ ହେଉଥିବା ବିଦ୍ୟୁତ ଖୁଣ୍ଟ ପୋତା କାମରେ ସଂପୃକ୍ତ ଠିକାଦାର ବ୍ୟାପକ ଅନିୟମିତତା ସହ ନିମ୍ନ ମାନର କାମ କରୁଛନ୍ତି । ଖୁଣ୍ଟ ମୂଳଗୁଡ଼ିକରେ ସମ୍ପୂର୍ଣ କଂକ୍ରିଟ ନ କରି ତଳେ ମାଟି ଦେଇ ଉପରେ ସାମାନ୍ୟ କଂକ୍ରିଟ ଢ଼ାଳୁଛନ୍ତି, ଯଦ୍ୱାରା ଖୁଣ୍ଟ ଗୁଡ଼ିକ ସାମାନ୍ୟ ବର୍ଷା ପବନ ହେଲେ ଭୁଶୁଡିଯିବାର ସମ୍ଭାବନା ସହିତ ରାସ୍ତା ପାର୍ଶ୍ୱ ପଥଚାରିଙ୍କ ପାଇଁ ବିପଦ ଆଣିପାରେ ବୋଲି କହିଛନ୍ତି ଉପଭୋକ୍ତା । ଏଥି ସହ ଉକ୍ତ କାର୍ଯ୍ୟ ନିମନ୍ତେ ମଂଜୁର ହୋଇଥିବା ଅର୍ଥକୁ ସଠିକ ଭାବରେ ବିନିଯୋଗ ନକରି ଜଳୁ କରିବା ଉଦ୍ଦେଶ୍ୟରେ ଠିକାଦାର ଥିବା ସେମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଠିକାଦାରଙ୍କ କାର୍ଯ୍ୟ ତଦାରଖକାରୀ କର୍ମଋରୀମାନଙ୍କୁ ଏ ସମ୍ବନ୍ଧରେ ପଗରିବାରୁ ସେମାନେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ମଧ୍ୟ ପତ୍ରରେ ଉଲ୍ଲେଖ ଅଛି । ବିଦ୍ୟୁତ ଉପଭୋକ୍ତା ମାନେ ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀ ଓ ପ୍ରକଳ୍ପ ଅଧିକାରୀଙ୍କ ସମେତ କାର୍ଯ୍ୟାଦେଶଧାରୀ ଠିକାଦାରଙ୍କ ଉପସ୍ଥିତିରେ ସଠିକ ମାନର କାମ କାର୍ଯ୍ୟ କରିବା ପାଇଁ ଦାବୀ କରିଛନ୍ତି । ନହେଲେ ଉପଭୋକ୍ତା ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି । ଯଦି ସଠିକ କାର୍ଯ୍ୟ ନହୁଏ ତେବେ କାର୍ଯ୍ୟକୁ ବନ୍ଦ କରାଇବା ଏବଂ ନିଳୋକ ବିଦ୍ୟୁତ ଷ୍ଟ୍ରକ୍ଚର ତଥା ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇବା ସଂଗେ ସଂଗେ ବିଦ୍ୟୁତ ବିଲ୍ ପ୍ରଦାନ ନ କରିବାର ନିଷ୍ପତି ନେଇଛନ୍ତି ନିଳୋକ ବିଦ୍ୟୁତ ଉପଭୋକ୍ତା । ଏଥି ସହ ସଂପୃକ୍ତ ଠିକାଦାର ଯେଉଁ ସବୁ ସ୍ଥାନରେ କାର୍ଯ୍ୟ କରିଛନ୍ତି, ସେ ସବୁ କାର୍ଯ୍ୟର ବିଧବଦ୍ଧ ତଦନ୍ତ କରାଯାଇ ତାଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି ଉପଭୋକ୍ତା ।

Shrutilipi ad