ବିଟିପୁର ଉପଡ଼ାକଘର ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ, ତହସିଲଦାରଙ୍କ ଚିଠିର ଉତ୍ତର ରଖୁନାହାନ୍ତି ଡାକ ଅଧିକାରୀ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ,ଭଦ୍ରକଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ପତ୍ର ଲେଖିବାକୁ ଇତି ମଧ୍ୟରେ ୧୪ ମାସ ବିତି ଯାଇଥିଲେ ସୁଦ୍ଧା ଅଧିକାରୀ ଉତ୍ତର ନରଖିବା ତାଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁ ନିର୍ଦ୍ଦେଶ କରିବା ସହ ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ ପ୍ରସଙ୍ଗରେ ରହିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ; ଜିଲ୍ଲା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ଗତ ୨୦୨୩ ମସିହା ଡ଼ିସେମ୍ବର ମାସ ୨୨ ତାରିଖରେ ବିଟିପୁର ଉପଡ଼ାକଘର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ସରକାରୀ ଜାଗା ଯୋଗାଇ ଦେବା ପାଇଁ ବନ୍ତ ତହସିଲଦାରଙ୍କୁ ପତ୍ର ଲେଖାଯାଇଥିଲା । ଅପରପକ୍ଷରେ ୨୦୨୨ ମସିହା ଡ଼ିସେମ୍ବର ମାସ ୨୭ ତାରିଖରେ ସ୍ଥାୟୀ ଗୃହ ପ୍ରସଙ୍ଗ ଉପରେ ବନ୍ତ ତହସିଲଦାର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ,ଭଦ୍ରକଙ୍କ ପତ୍ର ପାଇବା ପରେ ଏହାର ଯାଂଚ କରି ଆବଶ୍ୟକୀୟ କାଗଜ ପତ୍ର ପ୍ରଦାନ ନିମନ୍ତେ ବିଭାଗକୁ ଅବଗତ କରାଇଥିଲେ । କିନ୍ତୁ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆନଯାଇ ୨୦୨୩ ମସିହା ଡ଼ିସେମ୍ବର ମାସ ୨୨ ତାରିଖରେ ବିଟିପୁର ଉପଡ଼ାକଘର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ସରକାରୀ ଜାଗା ଯୋଗାଇ ଦେବା ପାଇଁ ବନ୍ତ ତହସିଲଦାରଙ୍କୁ ପତ୍ର ଲେଖାଯାଇଥିଲା । ତେଣୁ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଯଥା ଶିଘ୍ର ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ବନ୍ତ ତହସିଲଦାର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କୁ ଗତ ଜାନୁୟାରୀ ମାସ ୩ ତାରିଖରେ ଅନୁରୋଧ କରିଥିବା ଜଣାପଡ଼ିଛି । ଉକ୍ତ ଅନୁରୋଧକୁ ଇତି ମଧ୍ୟରେ ୧୪ ମାସ ବିତିଯାଇଥିଲେ ସୁଦ୍ଧା ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ କୌଣସି ଉତ୍ତର ନରଖିବା ତାଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁ ନିର୍ଦ୍ଦେଶ କରିବା ସହ ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ ପ୍ରସଙ୍ଗରେ ରହିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଥାଉକି; ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ତରଫରୁ ମିଳିଥିବା ଜାଗାକୁ ନେଇ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ୭ବର୍ଷ ପୂରିଯିବା ପରେ ମଧ୍ୟ ଏହାର ସ୍ଥାୟୀ ଗୃହ ନିର୍ମାଣ ପ୍ରସଙ୍ଗ କାଗଜ କଲମରେ ସୀମିତ ରହିଯିବାର ଜଣାପଡ଼ିଛି । ସ୍ଥାୟୀ ଗୃହ ନିର୍ମାଣ ହୋଇ ପାରୁନଥିବାରୁ ଏହି ପୁରାତନ ଡ଼ାକଘରଟି ଆଜି ଯାଏ ଭଡ଼ା ଗୃହରେ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ଉକ୍ତ ଡ଼ାକଘର ବାରମ୍ବାର ବିଭିନ୍ନ ଭଡ଼ାଗୃହକୁ ସ୍ଥାନାନ୍ତର ହେଉଛି । ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡ଼ାକଘର ଚାଲିଛି ।

ଜକ୍ତ ସମସ୍ୟାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ୨୦୨୨ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ତତ୍କାଳୀନ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉକ୍ତ ଉପଡ଼ାକଘରର ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ତାଙ୍କ ଚିଠି ନଂ ୭୧୪/୨୦୨୨ରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିବା ଜଣାପଡ଼ିଥିଲା । ଇତି ମଧ୍ୟରେ ୨ବର୍ଷ ଅଧିକ ସମୟ ବିତିଯାଇଥିଲେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବଂ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟଙ୍କଭୂମିକାକୁ ବିଚାରକୁ ନେଲେ ଉକ୍ତ ପ୍ରସଙ୍ଗ କେବଳ କାଗଜ କଲମରେ ସୀମିତ ରହିଯିବା ପରି ଜଣାପଡ଼ୁଛି । ପ୍ରତିମାସ ଏହି ଡ଼ାକଘରେ ପ୍ରାୟ ୭୦ରୁ ୮୦ଲକ୍ଷ ଟଙ୍କାର ଦେଣନେଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ସେପରି କୌଣସି କିଛି ଉନ୍ନତ ଆଧୁନିକଧରଣର ସରଞ୍ଜାମମାନ ଯୋଗାଯାଇପାରିନାହିଁ ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଅଂଚଳରେ ଅନ୍ୟତମ ପ୍ରମୁଖ ବିଦ୍ୟୁତ୍ କାଟ ସମସ୍ୟା ଯୋଗୁଁ ଡ଼ାକଘର ଉପରେ ଏହାର ପ୍ରଭାବ ପକାଉଛି । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାର୍ଯ୍ୟ ସଂପାଦନ ହେଉଥିବାରୁ ଏଠାରେ ଗ୍ରାହକ ମାନେ ଠିକ ଭାବେ ସେବା ପାଉନଥିବାର ଅଭିଯୋଗ ମାନ ହେଉଛି । ଏହି ଉପଡ଼ାକଘର ଉପରେ ପ୍ରାୟ ୭ହଜାର ଗ୍ରାହକ ନିର୍ଭର କରିଆସୁଛନ୍ତି । କିନ୍ତୁ ଗ୍ରାହକମାନେ ଠିକ୍‌ଭାବେ ସେବା ପାଇପାରୁନଥିବାରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥା ହ୍ରାସ ପାଇବାରେ ଲାଗିଛି । ସମଗ୍ର ବନ୍ତ ବ୍ଲକରେ ବନ୍ତ,ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାଘରେ ଚାଲିଛି । ବର୍ତ୍ତମାନ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବାବେଳେ ଏହା ଅଧିନରେ ୮ଟି ଶାଖା ଡ଼ାକଘର ରହିଥିବା ସ୍ଥଳେ ବିଭିନ୍ନ ସମସ୍ୟା ଯୋଗୁ ଦିନକୁ ଦିନ ଗ୍ରାହକମାନଙ୍କ ଅସନ୍ତୋଷ ଭାବ ବଢିବାରେ ଲାଗିଛି । ତେଣୁ ଉକ୍ତ ଉପଡ଼ାକଘରର ଲାଗି ରହିଥିବା ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ବନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ,ଭଦ୍ରକଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରେରଣ ପାଇଁ ଲେଖାଯାଇଥିବା ପତ୍ରର ତୁରନ୍ତ ଉତ୍ତର ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad