ଆଗରପଡ଼ା :ଗ୍ରାମାଚଂଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଲାଗି ସରକାର ବସୁଧା ଯୋଜନା କରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁନି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ବନ୍ତ ବ୍ଲକର ୨୫ ଟି ପଂଚାୟତର ବିଭିନ୍ନ ଗ୍ରାମରେ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଛି । ନିର୍ମାଣ ସରିଥିବା ବିଭିନ୍ନ ଗ୍ରାମରେ ଜଳ ଯୋଗାଣ ଆରମ୍ଭରୁ ଆଣ୍ଠେଇ ପଡ଼ିଥିବା ଜଣାପଡ଼ିଛି । ପ୍ରକଳ୍ପ ଥାଇ ସୁଦ୍ଧା ଶୋଷ ମେଣ୍ଟି ପାରୁନାହିଁ । ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଆରଡ଼ବ୍ଲ୍ୟୁଏସଏସ ମାଧ୍ୟମରେ ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବସୁଧା ଯୋଜନାରେ ଗ୍ରାମାଂଚଳ ରେ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟରେ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ବର୍ତ୍ତମାନ ଫେଲ ମାରିଛି । ବନ୍ତ ବ୍ଲକ ସଦର ମହକୁମାରେ ଦୁଇଟି ପାଣି ଟାଙ୍କି ସହ ପମ୍ପ ହାଉସ ନିର୍ମାଣ ହୋଇଛି । ଗ୍ରୀଷ୍ମ ଋତୁ ଆରମ୍ଭରୁ ଭକ୍ତ ଟାଙ୍କିଗୁଡ଼ିକରେ ରଙ୍ଗ ମାରି ଅଧିକ ଆକର୍ଷଣୀୟ କରାଯାଉଛି । ହେଲେ ଯୋଜନାର ସଫଳତା ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ପାଣି ଟାଙ୍କିରୁ ତହସିଲ କାର୍ଯ୍ୟାଳୟ ସମେତ ଉପନିବନ୍ଧକ କାର୍ଯ୍ୟାଳୟ, ଦୁଇ ଉଚ୍ଚ ବିଦ୍ୟାଳୟ ମହତାବ ଉପ୍ରା ବିଦ୍ୟାଳୟ ବ୍ଲକ କାର୍ଯ୍ୟାଳୟ ବନ୍ତ ବଜାର ସମେତ ପୁରୁଷୋତ୍ତମପୁର, ଦୁର୍ଗାପୁର, ଧନୀଓଝା ଆଦି ଗାଁକୁ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ହେଲେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନଥିବାରୁ କେଉଁ କାଳରୁ ନିର୍ମାଣ ହୋଇଥିବା ଟ୍ୟାପଗୁଡ଼ିକ ନଷ୍ଟ ହେବାକୁ ବସିଛି ।
ସେହିପରି କାଦବରାଙ୍ଗ,ବଡ଼ବର୍ଚ୍ଚିକୟାଁ ,ଓଡ଼ଙ୍ଗ,ଚାରିଗାଁ ଓ ବିଟିପୁର ଆଦି ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନାହିଁ । ଗୋଟେ ଗୋଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଟ୧୩୫.୯୫ ଲକ୍ଷ ଅଟକଳ ମୂଲ୍ୟରେ ନିର୍ମିତ ହୋଇଥିବାବେଳେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଓ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରୁ ପ୍ରକଳ୍ପର ସଫଳ ରୂପାୟନ ହେବା ପରିବର୍ତ୍ତେ ଅର୍ଥ ଚଳୁ ହେଇଯାଉଛି । ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ପାଇପ୍ ଫାଟି ପାଣି ବୋହିବା ସହ ବହୁ ଜାଗାରେ ପାଣି ପହଂଚି ପାରୁନି । ଏହିସବୁ କାରଣରୁ ଅଂଚଳବାସୀ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ସନ୍ଧିହାନ ହୋଇପଡ଼ିଛନ୍ତି । ସେହିପରି କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ବନ୍ତ ବ୍ଳକର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯେଉଁ ଯେଉର୍ ସ୍ଥାନରେ ସମସ୍ୟା ଦେଖା ଯାଉଛି ସେହିସବୁ ସମସ୍ୟାର ସମାଧାନ ପାଇଁ ବିଭାଗ ତରଫରୁ ପଦକ୍ଷେପ ନିଆ ଯାଉଥିବାର ପ୍ରତିଶ୍ରୃତି ଦିଆଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି । ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବା ସହ ଜଳ କଷ୍ଟ ଆରମ୍ଭ ହୋଇଛି । ତେଣୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ପ୍ରହସନରେ ପରିଣତ ନକରି ନିର୍ମିତ ପ୍ରକଳ୍ପ ଗୁଡ଼ିକର ପୁନଃ ତଦାରଖ କରିବା ଏବଂ ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଠିକ ଭାବେ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଯୋଜନାର ସଫଳ ରୂପାୟନ କରିବାକୁ ଚେଷ୍ଟିତ ହେବାକୁ ଗ୍ରାମବାସୀମାନଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

