ଯୁବକଙ୍କ ନିଆରା ଉଦ୍ୟମ: ମଣ୍ଡିରେ ଧାନ ବିକ୍ରି କରି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ

ରାଜ୍ୟ

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍‌ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ ରାଜେଶ କୁମାର ବଗର୍ତ୍ତୀଙ୍କ ଘର। ବର୍ତ୍ତମାନ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି। ଗବେଷଣା କାର୍ଯ୍ୟ କରିବା ସହିତ ସେ ଚାଷ କାର୍ଯ୍ୟରେ କରିଥାନ୍ତି ।
ଖରିଫ ଋତୁରେ ସେ ୪ ଏକର ଜମିରେ ଧାନ ଚାଷ କରିଥିଲେ। ଫସଲ ଅମଳ ହେବା ପରେ ମଣ୍ଡିରେ ଧାନ ବିକ୍ରି କରିଥିଲେ। ଧାନ ବିକ୍ରି ବାବଦରେ ଯେଉଁ ଟଙ୍କା ପାଇଥିଲେ ସେହି ଟଙ୍କାରୁ ସେ କିଛି ଟଙ୍କା ଖର୍ଚ୍ଚ କରି ଗ୍ରାମର ଅଙ୍ଗନବାଡ଼ି ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେଇଛନ୍ତି ।
କରୋନା ମହାମାରୀ ସମୟରେ ସେ ନିଜ ଘର ବାରଣ୍ଡାରେ ଗାଁର ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଯୁକ୍ତ ଦୁଇ ଶ୍ରେଣୀର ୧୪ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ସକାଳ ୭.୩୦ ଟା ରୁ ପୂର୍ବାହ୍ନ ୧୦ଟା ଏବଂ ସନ୍ଧ୍ୟା ୫ ଟା ସମୟରୁ ରାତି ୮ ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରୁଥିଲେ ।
ରାଜେଶ କୁହନ୍ତି, ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି । ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ ମୋର କର୍ତ୍ତବ୍ୟ ରହିଛି । ଗାଁର ଉନ୍ନତି ସାଙ୍ଗକୁ ମୋ ଗାଁ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ମୋର ଏକମାତ୍ର ଲକ୍ଷ୍ୟ ।
ବର୍ତ୍ତମାନ ଗବେଷଣା କାର୍ଯ୍ୟ ପାଇଁ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରହୁଛନ୍ତି । କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଗାଁକୁ ଆସିବା ସମୟରେ ପୁଣିଥରେ ଗାଁର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଉଛନ୍ତି ।

Shrutilipi ad