News visual

ଶୀତ ଲହରୀ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ  ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ଶ୍ରୀ ସୟ୍ ଅଧ୍ୟକ୍ଷତା କରି ଜିଲ୍ଲାର ବର୍ତ୍ତମାନ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,  ବିଡିଓ, ତହସିଲଦାର, ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଗ୍ନିଶମ ସେବା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ପ୍ରମୁଖ ଯୋଗ ଦେଇ ତାଙ୍କ ଦ୍ଵାରା ନିଆଯାଇଥିବା ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ଯାଏଁ ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବାରୁ ଜିଲ୍ଲାପାଳ ଶ୍ରୀ ସୟ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସମ୍ଭାବ୍ୟ ପାଗ ପରିବର୍ତ୍ତନକୁ ଲକ୍ଷ୍ୟ ରଖି ଆଜିର ବୈଠକରେ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ଯେପରି କୌଣସି ବ୍ୟକ୍ତି ରାତିରେ ଖୋଲା ଆକାଶ ତଳେ ଆଶ୍ରୟ ନ ନିଅନ୍ତି, ତାହାକୁ ସୁନିଶ୍ଚିତ କରିବା ପାଇଁ ତତ୍ ପରିସରଭୁକ୍ତ ଅଧିକାରୀ ସିଭିଲ ସୋସାଇଟି ସହ ମିଳିତ ସମନ୍ଵୟରେ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର, କମ୍ୟୁନିଟି ହଲ୍, ସ୍କୁଲ ଗୃହ, ସରକାରୀ ଗୃହ ଇତ୍ୟାଦି ଉପଯୁକ୍ତ ସ୍ଥାନରେ ରାତ୍ରିପଯାପନ ସହ ଖାଦ୍ୟପେୟର ବ୍ୟବସ୍ଥା କରିବେ । ଆବଶ୍ୟକ ସ୍ଥଳେ ରେଡକ୍ରସ୍ ପାଣ୍ଠି ସହାୟତାରେ ସେମାନଙ୍କୁ କମ୍ୱଳ ଯୋଗାଇଦେବାର ବ୍ୟବସ୍ଥା କରାଯିବ  । ସେହିପରି ବିଡିଓ ମାନେ ଶୀତ ଦାଉରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପିଇଓମାନଙ୍କୁ ନିର୍ଦ୍ଦେଶ ଦେବେ । ଏତଦବ୍ୟତୀତ ଶିମିଳିପାଳ ପାଦଦେଶ ଜନବସତି ଅଞ୍ଚଳରେ ବ୍ୟାପକ ସତର୍କ ନଜର ରଖିବାକୁ ତତ୍ ସଂଲଗ୍ନ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବିଦ୍ୟାଳୟ ତଥା ଛାତ୍ରାବାସ ପରିସରରେ ପିଲାମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ  ଯେମିତି ନିଆଁ ନଲଗାନ୍ତି, ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାପାଇଁ ସମ୍ପୃକ୍ତ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିର୍ଦେଶ ଦେବାପାଇଁ  ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୌଣସି ପ୍ରକାର ଆକସ୍ମିକ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ସାମ୍ନା କରିବାପାଇଁ ସମସ୍ତ ପ୍ରକାର ଅଗ୍ନି ନିର୍ବାପକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଅଗ୍ନିଶମ ସେବା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସର୍ବୋପରି ଜିଲ୍ଳାରେ ଶୀତ ପ୍ରକୋପ ଜନିତ ଯେମିତି କୌଣସି ଲୋକର ମୃତ୍ୟୁ ନହୁଏ ସେଥିପ୍ରତି ସତର୍କ ରହିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏତଦବ୍ୟତୀତ ଅତ୍ୟଧିକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଯଦି ଘର ମାନଙ୍କରେ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି, ତେବେ ଏଗୁଡିକ ବ୍ୟବହାର ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି।
Shrutilipi ad