2db55228 4f95 4715 8182 31e02b030e0e

ତପୋବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ପୂଜ୍ୟପୂଜା ଓଡ଼ିଶା’ର ବିଦ୍ୟାଳୟ କାର୍ଯ୍ୟକ୍ରମ: ସଂସ୍କୃତି ଓ ପରମ୍ପରାର ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ

ରାଜ୍ୟ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ଶିକ୍ଷାର ପ୍ରସାର, ଓଡ଼ିଶାର ସ୍ୱାଭିମାନୀ ଇତିହାସ ଏବଂ ବରେଣ୍ୟ ଜନନାୟକଙ୍କ ଜୀବନୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଏକ ବିଶେଷ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ସ୍ଥିତ ତପୋବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ବିଷୋୟୀ ଅଧ୍ୟକ୍ଷତା କରିଥିଲେ।

B9899a22 77ae 46dc 8cd4 f4817746a31c

ଏହି ଅବସରରେ ମୁଖ୍ୟବକ୍ତା ତଥା ଆଲୋଚକ ଭାବେ ‘ପୂଜ୍ୟପୂଜା ଓଡ଼ିଶା’ର ସମ୍ପାଦକ ତଥା ବିଶିଷ୍ଟ ସାରସ୍ବତ ସଂଗଠକ ରମାକାନ୍ତ ମିଶ୍ର ଯୋଗଦାନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର ଓଡ଼ିଶାର ମହାନ ସଂସ୍କୃତି, ପରମ୍ପରା ଏବଂ ପୂଜ୍ୟପୂଜାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଯେଉଁ ଜାତି ନିଜର ପୂର୍ବଜ ଓ ମହାନାୟକମାନଙ୍କୁ ସମ୍ମାନ ଦିଏ ନାହିଁ, ସେହି ଜାତିର ବିକାଶ ସମ୍ଭବ ନୁହେଁ। ଆଜିର ଯୁବପିଢ଼ି ନିଜର ମୂଳକୁ ଚିହ୍ନିବା ସହ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଭାଗବତ, ଶ୍ରୀମଦ୍ ଭଗବତ ଗୀତା, ରାମାୟଣ ଓ ମହାଭାରତ ଭଳି କାଳଜୟୀ ସଦ୍‌ଗ୍ରନ୍ଥ ପଢ଼ିବା ନିହାତି ଆବଶ୍ୟକ। ଏହି ଗ୍ରନ୍ଥଗୁଡ଼ିକ କେବଳ ଧର୍ମଶାସ୍ତ୍ର ନୁହେଁ, ବରଂ ଜୀବନ ଜିଇଁବାର ଏକ ଶ୍ରେଷ୍ଠ ମାର୍ଗଦର୍ଶିକା ବୋଲି ସେ ମତବ୍ୟକ୍ତ କରିଥିଲେ।

ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସଂଘର୍ଷପୂର୍ଣ୍ଣ ଇତିହାସ ବୁଝାଇବାକୁ ଯାଇ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନ ଦାସ, କର୍ମବୀର ଗୌରୀଶଙ୍କର ରାୟ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କ ନିସ୍ୱାର୍ଥପର ତ୍ୟାଗ ଓ ଉଦ୍ୟମ ଯୋଗୁଁ ଆଜି ଆମେ ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶରେ ରହିବାର ସୌଭାଗ୍ୟ ପାଇଛୁ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତି ଗଠନରେ ନିଜକୁ ନିୟୋଜିତ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀବାସ ପ୍ରସାଦ ମହାପାତ୍ର ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ସାଂସ୍କୃତିକ ଚେତନା ଜାଗ୍ରତ କରିବାରେ ସଫଳ ହୋଇଥିଲା।

Shrutilipi ad