ବାରିପଦା : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଚଳିତ ବର୍ଷ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାରୁ ୧୯୬ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ପଡିଆ ନିକଟରୁ ରାମେଶ୍ୱରମ -ମଦୁରାଇ ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି .
ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ତତ୍ୱାବଧାନ ରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଵିକାଶ ରଞ୍ଜନ ମହାନ୍ତି, ଏସଡିଆଇପିଆର ଶ୍ରୀ ଶିଶିର କୁମାର ମୁଣ୍ଡୁୟା ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ପିନ୍ଧାଇ ସମ୍ମାନ ଭରା ଶୁଭେଚ୍ଛା ଜଣାଇଥିଲେ। ବରିଷ୍ଠ ନାଗରିକଙ୍କ ଏହି ଆଧ୍ୟାତ୍ମିକ ତୀର୍ଥ ଯାତ୍ରା ସଫଳ ଓ ଶୁଭପ୍ରଦ ହେବା ନେଇ ମଙ୍ଗଳ କାମନା କରିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ.
ପ୍ରକାଶ ଥାଉକି ସମ୍ପୃକ୍ତ ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କୁ ମୟୂରଭଞ୍ଜ ଏଥେଲେଟିକ ଆସୋସିଏସନ କନଫରେନ୍ସ ହଲ ନିକଟରେ ପହଞ୍ଚା ଯିବା ପରେ ସେମାନଙ୍କ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ଔପଚାରିକ ବ୍ୟବସ୍ଥାକୁ ଯଥାରୀତି ସମ୍ପନ୍ନ କରାଯିବା ପରେ ୦୫ ଗୋଟି ବସ ଯୋଗେ ଦାୟିତ୍ୱସମ୍ପନ୍ନ ୬ ଜଣ ନୋଡାଲ ଅଧିକାରୀଙ୍କ ତତ୍ତ୍ୱlବଧାନରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି.
ଆଜି ବାଲେଶ୍ୱର ଠାରେ ରାତ୍ର ରହଣି ପରେ ଆସନ୍ତା କାଲି ତା୦୭-୦୧-୨୦୨୬ରିଖ ସେମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ରାମେଶ୍ୱରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିବେ. ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତ ହୋଇଥିବା ୬ ଜଣ ନୋଡାଲ ଅଧିକାରୀ ଯାତ୍ରା ସମୟରେ ନିୟମିତ ସମୟ ବ୍ୟବଧାନରେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବା ସହିତ ହ୍ୱାଟ୍ସଅପ ଗ୍ରୁପ ଜରିଆରେ ଫୋଟ ଓ ତଥ୍ୟ ଅବଗତ କରାଇବେ.ଉକ୍ତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାଲେଶ୍ୱର ରେଳ ଷ୍ଟେସନ କୁ ୧୨-୦୧-୨୦୨୬ ରିଖ ପ୍ରତ୍ୟାବର୍ତନ କରିବେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ବସ ଯୋଗେ ସେମାନେ ପୁଣି ବାଲେଶ୍ୱରରୁ ବାରିପଦା ଆସିବେ ଏବଂ ବାରିପଦାରେ ପହଂଚିବା ପରେ ସମ୍ପୃକ୍ତ ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ.
ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l

