- ଆକସ୍ମିକ ସଡ଼କ ଦୁର୍ଘଟଣା ଜନିତ ଶୁନ୍ୟ ମୃତ୍ୟୁ ଲକ୍ଷ୍ୟ ହାସଲ ପ୍ରତି ସତର୍କତା
ବାରିପଦା : ଆଜି, ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ବୈଠକରେ ଉପସ୍ଥିତଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ୧ ଜାନୁଆରୀ ୨୦୨୬ ରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ପାଳନ ହେବ ବୋଲି ଅବଗତ କରିବା ସହ ଏହି ମାସ ପାଳନର ଆଭିମୁଖ୍ୟ ଓ ଏହାର ସବିଶେଷ କାର୍ଯ୍ୟ ଧାରା ଉପସ୍ଥାପନ କରିଥିଲେ।
ଆଜିର ଅନୁଷ୍ଠିତ ବୈଠକ ରେ ମୁଖ୍ୟତଃ ଆକସ୍ମିକ ସଡ଼କ ଦୁର୍ଘଟଣା ଜନିତ ଶୁନ୍ୟ ମୃତ୍ୟୁ ଲକ୍ଷ୍ୟକୁ ପୂରଣ ଦିଗରେ ଗୁରୁତ୍ୱାରୋପ ଦିଆଯାଇଛି। ଏହାକୁ ସୁନିଶ୍ଚିତ କରିବା ପାଇଁ ରାସ୍ତାରେ ଯାନବାହାନ ଚଳାଇବା ସମୟରେ ଟ୍ରାଫିକ ନିୟମକୁ କଡାକଡି ପାଳନ ନିମନ୍ତେ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ପ୍ରାଥମିକତା ଦିଆଯିବା ନେଇ ଆଲୋଚନା ହୋଇଥିଲା। ବିଶେଷ କରି ଗାଡି ଚଳାଇବା ସମୟରେ ଟ୍ରାଫିକ ସିଗନାଲ ଏବଂ ନିୟମ କୁ କଡାକଡ଼ି ମାନି ସୁରକ୍ଷିତ ଢଙ୍ଗରେ ଗାଡି ଚାଳନା କରି ନିଜ ଜୀବନ କୁ ସୁରକ୍ଷିତ ରଖିବା ସହିତ ନିଜ ପରିବାର କୁ ସୁରକ୍ଷା ଓ ଅନ୍ୟମାନଙ୍କ ଜୀବନ କୁ ସୁରକ୍ଷିତ ରଖିବା ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ଦିଆଯିବ। ଏଗୁଡିକ ମଧ୍ୟରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡି ଚାଳନା ନକରିବା, ପିତାମାତା ମାନେ ସେମାନଙ୍କର କିଶୋର କିଶୋରୀ ବୟସର ପିଲାମାନଙ୍କୁ ଗାଡି ଚାଳନାରୁ ନିବୃତ୍ତ କରାଇବା,ଦୁଇ ଚକିଆ ଯାନ ଚାଳନା ସମୟରେ ଚାଳନାକାରି ସହିତ ଗାଡି ପଛରେ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ତଥା ଦୁଇ ଚକିଆ ଯାନ ରେ ତିନି ଜଣ ବସି ଗାଡି ଚାଳନା ନକରିବା , ଚାରିଚକିଆ ଯାନ ରେ ଗାଡି ଚାଳନା ସମୟ ରେ ଡ୍ରାଇଭର ସମେତ ସମ୍ମୁଖ ରେ ବସିଥିବା ଲୋକ ସିଟବେଲ୍ଟ ବ୍ୟବହାର କରିବା, ମଦ୍ୟ ପାନ କରି ନିଶାଶକ୍ତ ହୋଇ ଗାଡି ନଚଳେଇବା, ଅତ୍ୟଧିକ ଦ୍ରୁତଗତି ରେ ଯାନ ନଚଳେଇବା,ଦ୍ରୁତ ଗତିରେ ଅଭରଟେକ ନକରିବା, ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ଗାଡି ଚାଳନା ସମୟ ରେ ଜେବ୍ରା କ୍ରସିଂ ବ୍ୟତୀତ ରାସ୍ତା ର ଅନ୍ୟ ସ୍ଥାନ ରେ ରାସ୍ତା ପାର ନହେବା, ଗାଡିରେ ପରିବହନ ପାଇଁ ଧାର୍ଯ୍ୟ ହୋଇଥିବା ଯାତ୍ରୀ ଙ୍କ ସଂଖ୍ୟା ଠାରୁ ଅଧିକ ଯାତ୍ରୀ ନେବା ଆଣିବା ନକରିବା, ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ନିକଟରେ ଗାଡି ଚାଳନା କରି ଅତିକ୍ରମ କରିବା ସମୟ ରେ ସମସ୍ତ ପ୍ରକାର ସତର୍କତାସୂଚକ ନିୟମକୁ ଅନୁପାଳନ କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ତଥା ଗାଡିର କାଗଜ ପତ୍ର ଯଥା ଆର. ସି. ବୁକ, ପ୍ରଦୂଷଣ ସାର୍ଟିଫିକେଟ, ଇନ୍ସୁରାନ୍ସ ଇତ୍ୟାଦି ଉଚିତ ସମୟରେ ନବୀକରଣ କରି ଅଧୁନାତନ କରେଇବା, ଗାଡିର ବ୍ରେକ, ଇଣ୍ଡିକେଟର ହର୍ଣ୍ଣ ଇତ୍ୟାଦି ଉପଯୁକ୍ତ କାର୍ଯ୍ୟକ୍ଷମ ସ୍ଥିତିରେ ରଖିବା ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ବିପଦ ମୁକ୍ତ ଜୀବନ ବଂଚିବା ପାଇଁ ପରାମର୍ଶ ଦିଆଯିବା ସହିତ ଉକ୍ତ ନିୟମ ର ଉଲଘଂନ ରେ ଏହାର ଆଇନ ଗତ କାର୍ଯ୍ୟାନୁଷ୍ଠାନ ତଥା ଆର୍ଥିକ ଜୋରିମାନା ପ୍ରବଧାନ ସମ୍ଭନ୍ଧ ରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଯିବା ନେଇ ମତପୋଷଣ କରାଯାଇ ଥିଲା।ଏଥି ସହିତ ଶୁନ୍ୟ ମୃତ୍ୟୁ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ଆରକ୍ଷୀ, ଜିଲ୍ଲା ଅବକାରୀ ଓ ବାରିପଦା ଆଞ୍ଚଳିକ ପରିବହନର ମିଳିତ ଉଦ୍ୟମରେ ପ୍ରବର୍ତ୍ତନକୁ ବ୍ୟାପକରୁ ବ୍ୟାପକତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହେଲମେଟ ବ୍ୟବହାରକୁ ନେଇ କେତେ ସଚେତନ ଅଛନ୍ତି ଏହାକୁ ତଦାରଖ କରିବା ପାଇଁ ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଆଜି ଅପରାହ୍ନରେ ଏହାକୁ ଚେକ କରିବା ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବିଭିନ୍ନ ଛକ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ସ୍ଥାନୀୟ ବଜାର, ସାପ୍ତାହିକ ହାଟ ଓ ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଦ୍ରୁତ ଗତିରେ ଗାଡି ଚାଳନାକୁ ରୋକିବା ପାଇଁ ଏହାର ନିକଟବର୍ତ୍ତୀ ହେବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ସତର୍କତାସୂଚକ ନୂତନ ସାଇନବୋର୍ଡ଼ ଦୃଶ୍ୟମାନ ସ୍ଥାନରେ ଲଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଲୋକ ମାନଙ୍କୁ ସଡ଼କ ଦୁର୍ଘଟଣାର କାରଣଗୁଡିକ ଉପରେ ଅଧିକ ସମ୍ବେଦନଶୀଳ କରିବାପାଇଁ ୟୂ ଟ୍ୟୁବ ଓ ଇନଷ୍ଟାଗ୍ରାମ ଜରିଆରେ ଘଟିଥିବା ବିଭିନ୍ନ ସଡ଼କ ଦୁର୍ଘଟଣାର ଭିଡ଼ିଓ ପୋଷ୍ଟ କରିବା ପାଇଁ ଆର ଟି ଓ ଙ୍କୁ ନିର୍ଦେଶ ଦେଇଛନ୍ତି। ସଚେତନତା କାର୍ଯ୍ୟକ୍ରମରେ ଏନ ଜି ଓ ମାନଙ୍କୁ ସଂଶ୍ଲିଷ୍ଟ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ଆଜିର ଅନୁଷ୍ଠିତ ବୈଠକ ରେ ପରିବହନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜାତୀୟ ରାଜପଥ କତୃପକ୍ଷ, ରାଜ୍ୟ ରାଜପଥ କତୃପକ୍ଷ, ଓଡିଶା ରାଜ୍ୟ ସଡ଼କ ପରିବହନ କତୃପକ୍ଷ, ସ୍ବେଛାସେବୀ ସଂଗଠନର ସଦସ୍ୟ, ଘରୋଇ ବସ ମାଲିକ ସଙ୍ଘର ସଦସ୍ୟ, ଟ୍ରକ ମାଲିକ ସଙ୍ଘର ସଦସ୍ୟ, ଅଟରିକ୍ସା ମାଲିକ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।

