ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର: ରମାକାନ୍ତ ମିଶ୍ର
ଭୁବନେଶ୍ୱର, (୨୧/୧୨) : “ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଏବଂ କଠିନ ପରିଶ୍ରମ—ଏହି ତିନୋଟି ଦିଗ ହିଁ ଜୀବନରେ ସଫଳତାର ମୂଳମନ୍ତ୍ର।” ଆଜି ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମ ତଥା ଆଲୋଚନାଚକ୍ରରେ ଏହି ବାର୍ତ୍ତା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଶ୍ମିତା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ତଥା ଆଲୋଚକ ଭାବେ ‘ପୂଜ୍ୟପୂଜା ଓଡ଼ିଶା’ର ସମ୍ପାଦକ ଏବଂ ବିଶିଷ୍ଟ ସାରସ୍ୱତ ସଂଗଠକ ରମାକାନ୍ତ ମିଶ୍ର ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଓ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, କେବଳ ପାଠପଢ଼ା ନୁହେଁ, ବରଂ ଜୀବନରେ ଆଗକୁ ବଢ଼ିବାକୁ ହେଲେ ନିଜ ଉପରେ ବିଶ୍ୱାସ ରଖିବା ନିହାତି ଜରୁରୀ। ବିଭିନ୍ନ ପ୍ରେରଣାଦାୟୀ ଉଦାହରଣ ମାଧ୍ୟମରେ ସେ ବୁଝାଇଥିଲେ ଯେ କିପରି ଈଶ୍ୱରଙ୍କ ଉପରେ ଭରସା ରଖି ନିରନ୍ତର କଠିନ ପରିଶ୍ରମ କଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ।
ଏହି ଅବସରରେ ଶ୍ରୀ ମିଶ୍ର ଓଡ଼ିଶାର ଗୌରବମୟ ଇତିହାସ ଓ ମହାପୁରୁଷମାନଙ୍କ ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ସେହିପରି ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହା ବ୍ୟତୀତ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ ଏବଂ ପଞ୍ଚସଖା (ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ)ଙ୍କ ସାହିତ୍ୟିକ ଅବଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଥିଲା ଗୀତା ଓ ଭାଗବତ ଉପରେ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ସନ୍ତୋଷଜନକ ଉତ୍ତର ଦେଇଥିଲେ, ଯାହା ଅତିଥିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଲଲିତା ମଞ୍ଜରୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଛାତ୍ରୀମାନଙ୍କ ମଧ୍ୟରେ ନୂତନ ଚେତନା ଓ ଆତ୍ମବିଶ୍ୱାସ ଜାଗ୍ରତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

