ବାରିପଦା : ଭବାନୀପାଟଣାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସଙ୍ଗମ” ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ନାଟକ ପ୍ରତିଯୋଗିତାରେ ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱାରା ପରିବେଷିତ ନାଟକ “କାନ୍ଦୁଛି ବନାନୀ” ଦର୍ଶକଙ୍କୁ ବିମୋହିତ କରିବା ସହ ୮ଟି ପୁରସ୍କାର ଲାଭକରି ବିଦ୍ୟାଳୟ, ତଥା ଜିଲ୍ଲା ପାଇଁ ସୁନାମ ଆଣିବାର ଗୌରବ ଅର୍ଜନ କରିପାରିଛି I ଶ୍ରେଷ୍ଠ ପ୍ରଯୋଜିତ ନାଟକ, ଶ୍ରେଷ୍ଠ ଆଲୋକ ସଜ୍ଜା, ଶ୍ରେଷ୍ଠ ବେସଭୁଷା ପାଇଁ ବିଦ୍ୟାଳୟ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ତ୍ରିଲୋଚନ ସାହୁ, ଶ୍ରେଷ୍ଠ ନାଟ୍ୟକାର ଭାବେ ଅଜିତ କୁମାର ପାଣିଗ୍ରାହୀ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦେବସ୍ମିତା ସାବତ, ଶ୍ରେଷ୍ଠ ଅଭିନେତା ଭାବେ କ୍ରିଷ୍ଣା ଦତ୍ତ ଓ ୩ୟ ଶ୍ରେଷ୍ଠ ଅଭିନେତା ଭାବେ ବ୍ରଜକିଶୋର ମହାନ୍ତ ପୁରସ୍କୃତ ହୋଇଛନ୍ତି I ଅନ୍ୟ ମାନଙ୍କ ମଧ୍ୟରେ ନାଟକଟିରେ ଦେବାଶିଷ ଚୌଧୁରୀ, ରାଜବୀର ଲାମା, ସମ୍ବିତ ପାତ୍ର, ଆକାଶ କୁମାର ମହାନ୍ତ, ପ୍ରିୟାରାଣୀ ବେହେରା ଅଭିନୟ କରିଥିବା ବେଳେ ସଂଗୀତରେ ରୁପମ ରାମ ଏବଂ ମଞ୍ଚ ପରିଚାଳନାରେ ସରୋଜ କୁମାର ସାବତ ଓ ବାମା ଚରଣ ବାନରା ସହଯୋଗ କରିଥିଲେ I ଖବର ପାଇଁ ବିଦ୍ୟାଳୟ ତଥା ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ସମେତ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

