Img 20251215 wa0219

ବ୍ରହ୍ମ ମନ୍ଦିରର ଶତବାର୍ଷିକୀ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ ନଂ ୱାର୍ଡରେ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମ ମନ୍ଦିରର ଶତବାର୍ଷିକୀ ପାଳନ ଚଳିତ ମାସ ୨୦ ଓ ୨୧ ତାରିଖରେ ପାଳିତ ହେବାକୁ ଯାଉଅଛି I ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ସାରିଛି ବୋଲି ବ୍ରହ୍ମ ସମାଜ ଟ୍ରଷ୍ଟିର ଅଧ୍ୟକ୍ଷ ତଥା ଆବାହକ ରଞ୍ଜନ ବାନାର୍ଜୀ ଜଣାଇଛନ୍ତି I ବ୍ରାହ୍ମ ସମାଜର ମହାନ ଆଦର୍ଶ ଓ ମହନୀୟ ବାଣୀର ପ୍ରସାର ନିମନ୍ତେ ତତ୍କାଳୀନ ମୟୂରଭଂଜ ଷ୍ଟେଟର ପୁନ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ତଥା ଭଞ୍ଜ ରାଜବଂଶର ପୃଷ୍ଠପୋଷକତାରେ ବାରିପଦା ସହରର କେନ୍ଦ୍ର ସ୍ଥଳୀରେ ୧୯୨୫  ମସିହାରେ ଏହି ମନ୍ଦିର ସ୍ଥାପିତ ହୋଇଥିଲା I ଆୟୋଜକ କମିଟିର ଅଧ୍ୟକ୍ଷ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟିର ସଦସ୍ୟ ଗଣ ଉପସ୍ଥିତ ରହି ନିଜନିଜର ସୁଚିନ୍ତିତ ମତ ରଖିଥିଲେ I ଏହି ଭବ୍ୟ ସମାରୋହରେ ବରେଣ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର , ବାରିପଦା ବିଧାୟକ ପ୍ରକାଶ ସୋରେନ ତଥା ମହାରାଣୀ ରଶ୍ମି ରାଜ୍ଯଲକ୍ଷ୍ମୀ ଭଞ୍ଜ ଦେଓ ଯୋଗ ଦେବେ ବୋଲି ସଦୟ ସ୍ଵୀକୃତି ପ୍ରଦାନ କରିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ବିଭିନ୍ନ ରାଜ୍ୟର ବ୍ରାହ୍ମ ସମାଜର ପ୍ରତିନିଧି ମାନଙ୍କ ସମେତ ପ୍ରତିଷ୍ଠିତ ଆଚାର୍ଯ୍ୟମାନେ ଯୋଗଦେବେ I ଏଥି ସହିତ ଶିମିଳିପାଳ ଜୈବ, ପରିବେଶ ସଂରକ୍ଷଣ ତଥା ବ୍ରାହ୍ମ ସମାଜର ଆଦର୍ଶ, ସର୍ଵ ଧର୍ମ ସମନ୍ଵୟ ଓ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ଦୁଇ ଦିନର ଆଲୋଚନା ଚକ୍ର ଅନୁଷ୍ଠିତ ହେବ I ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ କରାଯିବାର କାର୍ଯ୍ୟକ୍ରମ ରହିଛି I ସ୍ଥାନୀୟ ପୌରପାଳିକା ସୌଜନ୍ୟରେ  ଶତାୟୁ ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ମଧ୍ଯ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ବୋଲି ମିଡ଼ିଆ କମିଟିର ମୂଖ୍ୟ ସଂଯୋଗକ ସୋମନାଥ ସିଂହ ଜଣାଇଛନ୍ତି I
Shrutilipi ad