ଆଗରପଡ଼ା: ନିଜ ହାତ ତିଆରି କଳାକୃତି ଜଣେ କାରିଗରକୁ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ଭଦ୍ରକ ଜିଳ୍ଲାରେ ମଧ୍ୟ ଏହିଭଳି ଅନେକ କାରିଗର ରହିଛନ୍ତି,ଯେଉଁମାନଙ୍କ ଦାତର ଯାଦୁ ସେମାନଙ୍କୁ ଖୁବ୍୍ ପରିଚିତ କରାଇଛି ଏବଂ ନିଜ ଭିତରେ ଥିବା କଳା ପାଇଁ ସେମାନେ ସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି । କେବଳ ପ୍ରଶଂସା ନୁହେଁ ବରଂ ଏହାକୁ ବୃତ୍ତି ଭାବେ ମଧ୍ୟ ଆପଣାଇଛନ୍ତି ଅନେକ କାରିଗର । ନିଜ ହାତରେ ଗଢୁଥିବା କଳାକୃତିକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି । ଆଉ ଏହିଭଳି ଜଣେ କାରିଗର ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବିଟିପୁର ପଂଚାୟତ ଅନ୍ତର୍ଗତ ବିଟିପୁର ଗ୍ରାମର ସ୍ୱର୍ଗତ ମୁରଲୀଧର ସେଠୀଙ୍କ ପୁତ୍ର ପଦ୍ମନାଭ ସେଠୀ(୪୯)ା ଚିତ୍ରବିଦ୍ୟାରେ ସେ ନିଜ କୃତିତ୍ୱ ପ୍ରଦର୍ଶନ କରି ଚାଲିଛନ୍ତି । ନିଜ ହାତର ସ୍ୱର୍ଶରେ ବାଲୁକାରେ ଜୀବନ ଭରିଦିଅନ୍ତି ପଦ୍ୱନାଭ । ତେଣୁ ବାଲୁକା ଶିଳ୍ପୀ ଭାବେ ସେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ବାଲ୍ୟବସ୍ଥାରୁ ପ୍ରାଥମିକ ବିଦ୍ୟାଳୟରେ ପଢିବା ସମୟରେ ପଦ୍ମନାଭଙ୍କର ଚିତ୍ର ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ ପାଇଥିଲା । ୧୯୯୧ ମସିହାରେ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିରରୁ ମାଟିକ୍ର ପାସ ପରେ ଚିତ୍ରବିଦ୍ୟାରେ ଅଧ୍ୟୟନ ପାଇଁ ମନ ବଳାଇଲେ । ଏବଂ ପରବର୍ତ୍ତି ସମୟରେ ସେ ଭଦ୍ରକ ଚାରୁକଳା ଓ କାରୁକଳା ମଡାବିଦ୍ୟାଳୟରୁ ଭାସ୍କର୍ଯ୍ୟ କଳାରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଉନ ଭିଜୁଆଲ ଆର୍ଟରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହା ପରେ ଆରମ୍ଭ ହୋଇଥିଲା କଳା କ୍ଷେତ୍ରରେ ଶିକ୍ଷକତା ସହ କଳା ସାଧନା । ଭଦ୍ରକରେ ପଢିବା ସମୟରେ ଟେରାକୋଟା,ବାଲୁକା କଳା,ଫଟୋଚିତ୍ର,ବାଥିକ ଟେନସିଲ ଡ଼ିଜାଇନ ଆଦି ବିଭିନ୍ନ କଳାରେ ମନୋନିବେଶ କରିଥିଲେ । ଭଦ୍ରକ ଚାରୁକଳା ଓ କାରୁକଳା ମଡାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ଭଟ୍ଟାଚାର୍ଯ୍ୟ,ଧର୍ମପଦ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବିନାରାୟଣ ନାୟକ,ଅଧ୍ୟାପକ ଜୟନ୍ତ ମଲ୍ଲିକ,ଅଶ୍ୱିନୀ ପଣ୍ଡା,ରାମଚନ୍ଦ୍ର ଦାସ,ଆଗରପଡ଼ା ଡ଼ାଏଟର ଅଧ୍ୟାପକ ବୃନ୍ଦାବନ ସାମନ୍ତରାୟଙ୍କ ପ୍ରେରଣା ତାଙ୍କୁ ଆଜି ଏହି ସ୍ଥାନକୁ ଆସିବାରେ ପ୍ରେରଣା ଯୋଗାଇଥିବା ସେ ପ୍ରକାଶ କରନ୍ତି । ପଦ୍ମନାଭ ଏବେ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ପୁରୁଷଣ୍ଢ ନୋଡ଼ାଳ ସ୍କୁଲରେ କଳା ଶିକ୍ଷକ ଭାବେ କାର୍ଯ୍ୟରତ । ତତ୍ ସହିତ ପଦ୍ମନାଭ ବିଭିନ୍ନ ସ୍ଥାନରେ ନିଜ କଳାକୃତିର ପ୍ରଦର୍ଶନ କରିବା ସହିତ ହସ୍ତଶିଳ୍ପରେ ପ୍ରଶିକ୍ଷଣ କାର୍ଯ୍ୟ କରୁଛନ୍ତି । ସେ ଭଦ୍ରକର ଭଦ୍ରାୟଣୀ,ବାଣିଜ୍ୟ ମେଳା,ବାବା ଆରଡ଼େଶ୍ୱରଙ୍କ ପୀଠ,କେନ୍ଦୁଝର ଜିଲ୍ଲାର ଶାଳଣିଆଁ,ବନ୍ତ ବିଜ୍ଞାନ ମେଳା,ଶିଣୁମେଳା ଆଦି ବିଭିନ୍ନ ଉତ୍ସବାନୁଷ୍ଠାନରେ ଜଗନ୍ନାଥଙ୍କ ବାଲୁ୍କା ମୂର୍ତ୍ତି ଗଢି ବେଶ ପ୍ରଶଂସିତ ହୋଇଛନ୍ତି । ସେ ଗତ ବର୍ଷ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଏକ ବାଲୁକା କଳା କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ବାଲୁକା କଳା ସମ୍ମାନରେ ସମ୍ମାନୀତ ମଧ୍ୟ ହୋଇଥିଲେ । ରାସ୍ତା କଡ଼ରେ ପଡ଼ିଥିବା ବର୍ଜ୍ୟବସ୍ତୁ,ନଡ଼ିଆ ସଡ଼ାଇ,ବଟଲ,ତାଳପତ୍ର,ପୁରୁଣା କାର୍ଡ଼ ବୋର୍ଡ଼କୁ ନେଇ ସେ ଅତି ସୁନ୍ଦର ଆକର୍ଷଣୀୟ ସାମଗ୍ରୀ ତିଆରି କରନ୍ତି । ସେ ନିଜ କୃତିତ୍ୱ ପାଇଁ ପୁରୀରୁ ବାଲୁକା କଳା ସମ୍ମାନ,ବାରିପଦାରୁ ବାଣୀପାଠ ଶିକ୍ଷକ ଗୌରବ ସମ୍ମାନ,ଭଦ୍ରକରୁ ଭଦ୍ରାୟଣୀ ଜିଲ୍ଲା ସ୍ତରୀୟ ପ୍ରତିଭା ସମ୍ମାନ ଓ ଭଦ୍ରକରୁ ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ସମ୍ମାନ ସହିତ ଆହୁରୀ ଅନେକ ଜିଲ୍ଳା ଓ ରାଜ୍ୟ ସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ମହାନ୍ତିପଡ଼ା ପଂଚାୟତ ଅନ୍ତର୍ଗତ ତ୍ରିସାଲିଆ ଗ୍ରାମର ଲୋକନାଥ ସାହୁ ଓ ବୀଣାପାଣିଙ୍କ ଝିଅ ନିରୁପମାଙ୍କୁ ନିଜ ଜୀବନ ସାଥି ରୂପେ ଚୟନ କରିଛନ୍ତି । ସେ ମଧ୍ୟ ଜଣେ କଳା ଶିଳ୍ପୀ ଅଟନ୍ତି । ୨୦୨୧ ମସିହାରେ କେନ୍ଦ୍ର ହସ୍ତଶିଳ୍ପ ନିଗମ ଓ ୨୦୨୩ ମସିହାରେ ରାଜ୍ୟ ହସ୍ତଶିଳ୍ପ ନିଗମ ଦ୍ୱାରା ଆୟୋଜିତ ଟେରାକୋଟା ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ ଦକ୍ଷତାର ସହ ନିଜର ଦାଇତ୍ୱ ପ୍ରତିପାଦନ କରିବା ସହ ଅଧିକାରୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବର୍ତ୍ତମାନ ସେ ନିଜ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସମେତ ଆଖପାଖ ଅଂଚଳର ପାଖାପାଖି ୨୦୦ ଜଣ ମହିଳାକୁ ଟେରାକୋଟା ଶିଳ୍ପର ପ୍ରଶିକ୍ଷଣ ଦେଉଛନ୍ତି । ସାଧନା ବଳରେ ନିଜ ଭିତରେ ଥିବା ପ୍ରତିଭାକୁୁ ବିକଶିତ କରିହେବ । ଏଥିନେଇ ଶିଳ୍ପୀ ପଦ୍ମନାଭ ନିଶ୍ଚିତ ଭାବେ ଅନ୍ୟମାନଙ୍କର ପ୍ରେରଣା ।

