କଟକ, ୧୦/୧୨: କଟକ ସ୍ଥିତ ଏସ.ସି.ବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗ ସମ୍ମୁଖରେ ଆଜି ‘ମାନବାଧିକାର ଦିବସ’ ପାଳିତ ହୋଇଯାଇଛି। ‘ସଖୀ ୱାନ ଷ୍ଟପ ସେଣ୍ଟର୍’ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜରୁ ଲିଙ୍ଗଗତ ଭେଦଭାବ ତଥା ମହିଳା ହିଂସା ଦୂରୀକରଣ ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୬ ଦିନିଆ ଅଭିଯାନର ମଧ୍ୟ ସମାପ୍ତି ଘଟିଛି।

ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ.ସି.ବି ମାନସିକ ରୋଗ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡ଼ା. ଅଜୟ ମିଶ୍ର ଯୋଗଦେଇ ସମାଜରେ ବଢୁଥିବା ଅନ୍ୟାୟ ଓ ଅନୀତିକୁ ବିରୋଧ କରିବା ସହ କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବେ ଆଇନ ସେବା ସଂସ୍ଥା ‘କ୍ଲାପ୍’ର ଆଇନଜୀବୀ ଡ଼. ସଦାନନ୍ଦ ବାଗ ଯୋଗଦେଇ ମାନବାଧିକାର ଦିବସ ପାଳନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସଖୀ କେନ୍ଦ୍ରର ଆଇନଜୀବୀ ବିଜୟ କୁମାର ପଣ୍ଡା ସଖୀ କେନ୍ଦ୍ର ଦ୍ବାରା ଉପଲବ୍ଧ ହେଉଥିବା ବିଭିନ୍ନ ମାଗଣା ଆଇନ ସେବା ଓ ପରାମର୍ଶ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ଏକ ମାନବ ଶୃଙ୍ଖଳ ନିର୍ମାଣ କରାଯାଇ ସମାଜରେ ମାନବାଧିକାରର ପ୍ରସାର ଓ ସହଭାଗିତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ସମସ୍ତେ ମାନବାଧିକାରର ସୁରକ୍ଷା ଓ ସମ୍ମାନ ନିମନ୍ତେ ଏକ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମରେ ମମତା ଶକ୍ତି ସଦନର କର୍ମକର୍ତ୍ତା ତଥା ଆଇନ ସେବା ପ୍ରାଧିକରଣର ସଦସ୍ୟମାନେ ଉପସ୍ଥିତ ଥିଲେ। ଆଇ.ଏସ.ଡିର ପ୍ରଯୋଜିକା ବୀଣାପାଣି ମଲ୍ଲିକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଖୀର କାଉନସିଲର ତନ୍ମୟୀ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

