ଆଗରପଡ଼ା: ଶନିବାର ବିଜେଡି ପକ୍ଷରୁ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇଙ୍କ ବିରୋଧରେ ଦଳୀୟ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରକାରର ଅଭିଯୋଗମାନ କରିଥିଲେ । ରବିବାର ବ୍ଲକ ଅଧ୍ୟକ୍ଷଙ୍କ ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀରେ ତାକୁ ଖଣ୍ଡନ କରିଛନ୍ତି ନିଜେ ଅଧ୍ୟକ୍ଷ । ତାଙ୍କ କହିବାନୁଯାୟୀ ସ୍ଥାନୀୟ ବିଧାୟକ ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଅନାସ୍ଥା ଆଣିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଗତ ୨୦୨୨ ମସିହାରେ ମୁଁ ଅଧ୍ୟକ୍ଷ ହେଲି,ମାତ୍ର ବହୁ ପୂର୍ବରୁ ଭେଣ୍ଡର କୋର୍ଡ଼ ଖୋଲିଛି । ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟବିଭାଗୀୟ ଅଧିକାରୀଙ୍କ ନାମରେ ହୋଇଥାଏ ଓ ସମସ୍ତ ଅର୍ଥ ଅନଲାଇନରେ ପେମେଣ୍ଟ ହୋଇଥାଏ । ଏଥିରେ ମୋର କୌଣସି ସଂପୃକ୍ତି ନାହିଁ । ଜିଲ୍ଲାପାଳଙ୍କୁ ମୋ ବିରୋଧରେ କରାଯାଇଥିବା ଅଭିଯୋଗ ତଦନ୍ତକୁ ସ୍ୱାଗତ କରୁଛି । ବିଧାୟକ ମନଗଢ଼ା ଓ କପୋଳକଳ୍ପିତ ଆରୋପ କରୁଛନ୍ତି ଆଗାମୀ ଦିନରେ ସାଧାରଣ ଜନତା ଏହାର କଡ଼ାଜବାବ ଦେବେ ଓ ଗତ ପଂଚାୟତ ନିର୍ବାଚନରେ ମୁଁ ସର୍ବାଧିକ ୨୭୦୦ ଭୋଟ ବ୍ୟବଧାନରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲି ବୋଲି ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇ ଥିବାବେଳେ ରବିବାର ପୁଣି ୫ ଜଣ ସମିତିସଭ୍ୟଙ୍କ ସହ ବିଜେଡି ପଦପଦବୀରେ ଥିବା କର୍ମକର୍ତ୍ତାମାନେ ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ପଠାଇ ଥିବାର ଜଣା ପଡ଼ିଛି । ବିଟିପୁର ପଂଚାୟତ ସମିତିସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା, ମହାନ୍ତିପଡ଼ାର ନିର୍ମିଳ ନାୟକ, ବଡ଼ବର୍ଚ୍ଚିକୟାଁ ର ସନ୍ତୋଷ ପହି, ନିଳୋକର ଉଦ୍ଧବ ସେଠୀ,ଗଣିଜାଙ୍ଗ ପଂଚାୟତ ସମିତି ସଭ୍ୟ ମନୋରଂଜନ ସେଠୀଙ୍କ ସମେତ ବ୍ଲକ୍ ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା, ଜିଲ୍ଲା ଯୁବ ସଂପାଦକ କାଶୀନାଥ ସେଠୀ, ପ୍ରଦୀପ୍ତ ସାମଲ,ଧର୍ମେନ୍ଦ୍ର ଜେନା ଓ ଗୋପିନାଥପୁର ପଂଚାୟତର ୧,୨,୩,୧୪,୧୬ ନମ୍ବର ୱାର୍ଡ଼ ସଭ୍ୟମାନେ ମଧ୍ୟ ବିଜେଡି ଛାଡ଼ି ଥିବାର ଜଣାପଡ଼ିଛି ।

