Photo1 for the news of anganwadi

ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ

ରାଜ୍ୟ

ଆଗରପଡ଼ା :ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତିକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟତ ଅନ୍ତର୍ଗତ ବରହମପୁର ଅଙ୍ଗନବାଡ଼ି କେନ୍ଦ୍ର ଠାରେ । ସୂଚନା ଅନୁଯାୟୀ; କେନ୍ଦ୍ରର ନିଜସ୍ୱ ଗୃହ ପ୍ରତିଷ୍ଠା ହେବା ପରଠାରୁ ଉକ୍ତ କେନ୍ଦ୍ର ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟି ଆସୁଥିବା ବେଳେ ଶୁକ୍ରବାର ଆଡ଼ାସ୍ଥଳୀ ପାଲଟିଥିବା ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପାଇଁ ଆଉ ଏକ ବିପଦଶଙ୍କୁଳ ପରିସ୍ଥିତି ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ କେନ୍ଦ୍ର ବାରଣ୍ଡାରେ ମଦ୍ୟପାନ କରି ଅସାମାଜିକ ବ୍ୟକ୍ତି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପକାଇଥିବା ବେଳେ କେନ୍ଦ୍ରକୁ ବିଦ୍ୟୁତ୍ ସରବରାହ ପାଇଁ ସଂଯୋଗୀକରଣ ହୋଇଥିବା ତାରକୁ ଛିଡ଼ାଇ ଦେଇଥିବା ଦେଖାଯାଇଥିଲା । କିନ୍ତୁ ଉକ୍ତ ତାରରେ ବିଦ୍ୟୁତ୍ ସରବରାହ ଜାରୀ ରହିଥିଲା । ଯାହାକି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲା । ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପିଲାଙ୍କ ସହ କେନ୍ଦ୍ରରେ ପହଂଚିବା ପରେ କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ପିଲାଙ୍କୁ କେନ୍ଦ୍ର ଭିତରକୁ ନ ନେଇ ପାଖରେ ଥିବା ଦେବାଳୟରେ ଅଧ୍ୟୟନ ପାଇଁ ବସାଇ ସେକ୍ଟର ସୁପରଭାଇଜରଙ୍କ ସମେତ ସରପଂଚ ଓ ସମିତିସଭ୍ୟାଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ପରେ ସମସ୍ତଙ୍କ ପରାମର୍ଶ ଅନୁୟାୟୀ ବିଦ୍ୟୁତ୍ ବିଭାଗକୁ ଅଭିଯୋଗ କରିବା ସହ ଆଗରପଡ଼ା ଥାନାକୁ ମଧ୍ୟ ଅଭିଯୋଗ କରିଥିବା ଜଣାପଡ଼ିଛି । ଉକ୍ତ କେନ୍ଦ୍ରକୁ ଲାଗି ବରହମପୁର ସରକାରୀ ନୋଡ଼ାଲ ବିଦ୍ୟାଳୟ ଥିବାରୁ ଏବଂ ଉକ୍ତ ବିଦ୍ୟାଳୟରେ ପାଖାପାଖି ୧୦୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାରୁ ଅଙ୍ଗନବାଡ଼ିରେ ଶିକ୍ଷାରତ ୨୨ଜଣ କୁନିକୁନି ପିଲାଙ୍କ ସହ ସେମାନେ ମଧ୍ୟ ଉକ୍ତ ସମସ୍ୟାକୁ ନେଇ ଆଶା ଓ ଆଶଙ୍କାରେ ରହୁଥିବା ଜଣାପଡ଼ିଛି । ଅଙ୍ଗନବାଡ଼ି କର୍ମୀଙ୍କ କହିବା ଅନୁଯାୟୀ କେନ୍ଦ୍ରର ନିଜସ୍ୱ ଗୃହ ପ୍ରତିଷ୍ଠା ହେବା ପର ଠାରୁ (୨୦୧୬-୧୭ ଆର୍ଥିକ ବର୍ଷ)ଏଠାରେ ଏହି ଭଳି ସମସ୍ୟା ଲାଗି ରହିଛି । ପ୍ରତିଦିନ କେନ୍ଦ୍ର ଖୋଲିବା ଆଗରୁ କେନ୍ଦ୍ର ପରିସରରୁ ମଦ୍ୟପମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ସଫା କରି ପରିସରକୁ ସୁସ୍ଥ କରିବାକୁ ପଡ଼ିଥାଏ । ସେ ଏହି ସମସ୍ୟାକୁ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇବାକୁ ପ୍ରୟାସ ଜାରୀ ରଖିଥିଲେ ମଧ୍ୟ ଅଧ୍ୟାବଧି ଏଥିରେ କୌଣସି ସୁଫଳ ପାଇ ପାରିନଥିବା ପ୍ରକାଶ କରିଛନ୍ତି । ତେଣୁ ସ୍ଥାନୀୟ ପୋଲିସ ରାତ୍ରକାଳୀନ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରି ଉକ୍ତ କେନ୍ଦ୍ର ପ୍ରତି ଦୃଷ୍ଟି ଦେଲେ ଅସାମାଜିକ ବ୍ୟକ୍ତିଙ୍କ ପାଦ୍ରୁଭାବ କିଛି ପରିମାଣରେ କମି ପାରନ୍ତା ବୋଲି ଅଭିଭାବକାନେ ମତ ପୋଷଶ କରିଛନ୍ତି । ମହିଳା ଓ ଶିଶୁଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ଏହି କେନ୍ଦ୍ରର ପରିସରରେ ଦିନକୁ ଦିନ ସମସ୍ୟା ମାନ ବୃଦ୍ଧି ହେବାରେ ଲାଗିଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ କୁନିକୁନି ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଓ କେନ୍ଦ୍ରର ଅନ୍ୟାନ୍ୟ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଏଠାରେ ଲାଗି ରହିଥିବା ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ଜନନାୟକ,ବିଭାଗୀୟ ଅଧିକାରୀ,ସ୍ଥାନୀୟ ନେତୃବୃନ୍ଦ ଏବଂ ଅଭିଭାବକମାନେ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

Shrutilipi ad