ବନ୍ତ/ଆଗରପଡ଼ା : ଦେଶ ବିଦେଶର ଖବର ଜାଣିବା ସହ ଦକ୍ଷତା ବିକାଶ ପାଇଁ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ହାଇସ୍କୁଲ, କଲେଜ ମାନଙ୍କରେ ପ୍ରାର୍ଥନା ସଭାରେ ଖବରକାଗଜ ପାଠ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଥିଲା । ପ୍ରତି ସ୍କୁଲ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀ ଖବରକାଗଜ ପାଠ କରି ମୁଖ୍ୟ ଖବରକୁ ଖାତାରେ ଲିପିବଦ୍ଧ କରି ପ୍ରାର୍ଥନା ସଭାରେ ପିଲାଙ୍କ ସମ୍ମୁଖରେ ପଢିବା କଥା । କିନ୍ତୁ ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପାଖାପାଖି ୮୦ ପ୍ରତିଶତରୁ ଅଧିକ ବିଦ୍ୟାଳୟକୁ ଖବରକାଗଜ ଯାଉନଥିବା ବେଳେ ନିୟମିତ ଖବର ପାଠ କରାଯାଉନଥିବା ଜଣାପଡ଼ିଛି । ଖବରକାଗଜ ଜିଣିବାକୁ ବାର୍ଷିକ ଅନୁଦାନରୁ ଖର୍ଚ୍ଚ ବ୍ୟବସ୍ଥା ରହିଥିଲେ ହେଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆଗ୍ରହ ଅଭାବରୁ ଛାତ୍ରଛାତ୍ରୀ ଖବର ଜାଣିବାରୁ ବଂଚିତ ହେଉଛନ୍ତି ।
ବ୍ଲକରେ ପ୍ରାୟ ୨୦୦ରୁ ଅଧିକ ବିଦ୍ୟାଳୟ ଥିଲେ ମଧ୍ୟ ବହୁ ସ୍କୁଲ,କଲେଜ ଖବରକାଗଜ ମଗାଉନଥିବା ଜଣାପଡିଛି । ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି । ବନ୍ତ ବ୍ଲକରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଓ ତଦାରଖରେ ଅବହେଳା ଯୋଗୁଁ ଶିକ୍ଷକଙ୍କ ମନମାନିରେ ଶିକ୍ଷାଦାନ ଚାଲୁଥିବାରୁ ଏଥିପ୍ରତି କେହିବି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି । ତେଣୁ ଶିକ୍ଷାବିଭାଗ ପକ୍ଷରୁ ଜାରି ଆଦେଶନାମାକୁ ଯଥା ଶୀଘ୍ର ପାଳନ କରିବା ସହ ପିଲାଙ୍କ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ବ୍ଳକର ସମସ୍ତ ବିଦ୍ୟାଳୟରେ ଖବର କାଗଜ ଉପଲବ୍ଧ କରାଇବାକୁ ବ୍ଲକ ଶିକ୍ଷାଧବକାରୀ ଚେଷ୍ଟି୍ତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

