ବାରିପଦା : ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ ସୁଦୃଢ କରିବା, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏଥି ନିମନ୍ତେ ମୟୁରଭଞ୍ଜ ଜିଲ୍ଲାର 404 ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ବ୍ୟାଚ ପଞ୍ଚାୟତ ସଂସାଧନ କେନ୍ଦ୍ର ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାଏକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l
ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି ସ୍ଵାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ | ଏହି ଅବସରରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ଶ୍ରଦ୍ଧା ସୁମନ ଜିଲ୍ଲା ଜରୁରୀକାଳୀନ ବିଭାଗ ତରଫରୁ ବିପର୍ଯ୍ୟୟ ପରିଚାଳନା କିଭଳି ଭାବରେ କରାଯାଇଥାଏ ତାହା ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଅସୁରକ୍ଷିତ ଗୋଷ୍ଠୀ ସମୂହର ଚିହ୍ନଟକରଣ, ଉପଯୁକ୍ତ ଯୋଜନା ପ୍ରସ୍ତୁତ, ଗୋଷ୍ଠୀ ସହଭାଗିତା, ଦକ୍ଷତା ବୃଦ୍ଧି ସହିତ ବିପର୍ଯ୍ୟୟ. ପରିଚାଳନାରେ ନିଜର ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ | ତତସହିତ ଏଭଳି ତାଲିମ କାର୍ଯ୍ୟକ୍ରମ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଲୋକାଭିମୁଖୀ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ I
ଏଠାରେ ପ୍ରକାଶ ଥାଉ କି ଉକ୍ତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ଡିପିଓ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ | ଓସଡମାର ସ୍ଵିକୃତୀପ୍ରାପ୍ତ ମାଷ୍ଟର ଟ୍ରେନର ଶ୍ରୀ ମନୋଜ ଜେନା, ମହେନ୍ଦ୍ରନାଥ ସେନାପତି, ପ୍ରଦୀପ କୁମାର ଦାସମହାପାତ୍ର, ଓ ପ୍ରଭା ମଞ୍ଜରୀ ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ | ଏଥିରେ ଗୋପବନ୍ଧୁ ନଗର, ଶ।ମାଖୁଣ୍ଟା, କରଞ୍ଜିଆ, ବିଜାତଳା, ଶୁକୃଳି ବ୍ଳକ ରୁ 50 ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶ ଗ୍ରହଣ କରିଥିଲେ |

