ବାରିପଦା: ସ୍ଥାନୀୟ ସରକାରୀ ଏସ୍.ଏସ୍.ଡି. ଉଚ୍ଚ ବିଦ୍ୟାଳୟ, ବିଶୋଇରେ ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ବୃତ୍ତିଗତ ବିକାଶ ନିମନ୍ତେ ୩ ଦିନିଆ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳାରେ ବିଶୋଇ ବ୍ଲକର ୫୫ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ଏହି ତିନିଦିନିଆ କର୍ମଶାଳାଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା I ବିଶୋଇର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଙ୍ଗୀତା ଜେନା ଶିବିର ପରିଦର୍ଶନ କରିବା ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ I ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ର ଶିକ୍ଷକ-ପ୍ରଶିକ୍ଷକ ତଥା ସାଧନ-କର୍ମୀ ସାଗର କୁମାର ଦଳନାଏକ, ସାଧନ-କର୍ମୀ ନୀହାର ରଞ୍ଜନ ମହାନ୍ତ ଓ ନାରାୟଣ ବସାଙ୍କ ଦ୍ୱାରା ତିନିଦିନଧରି କର୍ମଶାଳାଟି ପରିଚାଳିତ ହୋଇଥିଲା l ପ୍ରଶିକ୍ଷଣ ପେଟିକlଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବୃତ୍ତିଗତ ବିକାଶ, ଜାତୀୟ ଶିକ୍ଷା ନୀତି-୨୦୨୦ ର ପୁନର୍ବଳନ, ସାମଗ୍ରିକ ବିଦ୍ୟାଳୟ ବିକାଶ ପାଇଁ ୭ଟି ପରିସର ଚିହ୍ନଟକରଣ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନେତୃତ୍ଵର ଗୁଣାତ୍ମକ କୌଶଳ ବିକାଶ, ଉପଲବ୍ଧ ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତିକରଣ, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ପର୍ଯ୍ୟବେସିତ ହୋଇଥଲା I

