- ଅମାନିଆ ନାବାଳକଙ୍କ ହାତରେ ବାଇକ୍
ଆଗରପଡ଼ା:ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପତ୍ର ସଂଖ୍ୟା ୧୩୬୭୮/୪.୧୧.୨୫ ଅନୁଯାୟୀ ଗତ ୧୬ ତାରିଖରୁ ଆସନ୍ତା ୩୦ ତାରିଖ (୧୫ ଦିନ) ପର୍ଯ୍ୟନ୍ତ “ଶୂନ୍ୟ ମୃତ୍ୟୁ”ନିରୀକ୍ଷଣ କାର୍ଯ୍ୟକ୍ରମ ପାଳନ କରିବା ସହ ନାବାଳକଙ୍କୁ ବେପରୁଆ ବାଇକ୍ ଚଳାଇବାରେ ପତିବନ୍ଧକ ଲଗାଇବାପାଇଁ ନିର୍ଦ୍ଦେଶ ଅଛି । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ନିମନ୍ତେ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ଯୋଗେ ଅବଗତ ମଧ୍ୟ କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାକୁ ଉକ୍ତ ପତ୍ର ବିଷୟରେ ଅବଗତ ମଧ୍ୟ କରାଇଥିବା ଜଣାପଡ଼ିଛି । ୧୫ଦିନ ବ୍ୟାପି ପାଳିତ ହେବାକୁ ଯାଉଥିବା ଉକ୍ତ କାର୍ଯ୍ୟକ୍ରମରେ ସେମାନଙ୍କ ପୂର୍ଣ୍ଣ ସହଯୋଗ କାମନା କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ ପାଇଁ ଅନୁରୋଧ ମଧ୍ୟ କରାଯାଇଛି । ତତ୍ସହିତ ନାବାଳକଙ୍କୁ ଶିକ୍ଷାନୁଷ୍ଠାନକୁ ବାଇକ୍ ଧରି ଆସିବାରୁ ନିବୃତ ରହିବା ପାଇଁ ଆଦେଶ ଦେବାକୁ କୁହାଯାଇଛି । ଯଦି କେହିବି ନାବାଳକ ଆଦେଶକୁ ନମାନତି ତେବେ ଯାନବାହାନ ଚଳାଚଳ ନିୟମ-୧୯୮୮ସେକ୍ସନ୍ ୧୯୯ରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଇତି ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ୫ଦିନ ବିତିବାକୁ ବସିଥିଲେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ କେହିବି(କୌଣସି ଶିକ୍ଷାନୁଷ୍ଠାନ) ପାଳନ କରୁଥିବା ପରି ଜଣାପଡ଼ୁନି । ଉକ୍ତ ନିର୍ଦ୍ଦେଶନାମା କାଗଜକଲମରେ ସୀମିତ ରହିଯିବା ପରି ଜଣାପଡ଼ୁଛି । ତେଣୁ କାଗଜକଲମରେ ଉକ୍ତ ନିର୍ଦ୍ଦେଶନାମା ସୀମିତ ରହିଯିବା ଆଗରୁ ପ୍ରଶାସନ ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ଦିନକୁ ଦିନ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । କାହାରିକୁ ନମାନି ବେପରୁଆ ଭାବେ ଦୃତ ଗତିରେ ଗାଡ଼ି ଚଳାଇବାରେ ମୁଖ୍ୟତଃ ପିଲାମାନଙ୍କୁ ଦେଖିବାକୁ ମିଳୁଛି । ପିଲାଙ୍କ ହାତରେ ଅଭିଭାବକମାନେ ବାଇକ୍ ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁନାହାନ୍ତି । ନିୟମିତ ଏଭଳି ବାଇକ୍ ଚାଳନା ପାଇଁ ଅନ୍ୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡ଼କ ଦୁର୍ଘଟଣା ସବୁଠି ଚିନ୍ତାର କାରଣ ହୋଇଛି ଓ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ବହୁ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଏହି କାରଣରୁ ଯାଇଛି । ଖାସ୍ କରି ଦୁଇ ଚକିଆ ଯାନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି । ଏହା ପଛରେ ନାବାଳକଙ୍କ ହାତରେ ବାଇକ୍ ଏକ ପ୍ରମୁଖ କାରଣ ହୋଇଥିବାର ଜଣାପଡ଼ିଛି । ସ୍କୁଲ୍ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ବାଇକ୍ ଓ ସ୍କୁଟି ଚଳାଉଥିଲାବେଳେ ଏଥିପ୍ରତି କାହାରି ନିଘା ରହୁ ନଥିବା ଅଭିଯୋଗ ହେଉଛି । ବନ୍ତ ବ୍ଲକର ବିଭିନ୍ନ ରାସ୍ତା ଘାଟ ସହ ଗାଁ ଗଣ୍ଡା ସବୁଠି ପିଲାଙ୍କ ହାତରେ ବାଇକ୍ । କିଏ ବାଇକ୍ ଚଳାଉଛି ତ କାହା ହାତରେ ସ୍କୁଟି । ସ୍କୁଲ୍ ଓ କଲେଜ ସହିତ ଟ୍ୟୁସନ୍ ଯାଉଥିବା ପିଲାମାନେ ଏସବୁକୁ ଚଳାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ଗୋଟିଏ ଗାଡ଼ିରେ ୨ରୁ ୩ ଜଣ ଲେଖାଏଁ ବସି ଅତି ବେପରୁଆ ଭାବେ ଅତି ଦୃତଗତିରେ ତାହା ଚାଳନା କରୁଛନ୍ତି । ଯାହାଫଳରେ ଦୁର୍ଘଟଣା ଚଢ଼ିବାରେ ଲାଗିଛି । ସରକାରୀ ନିୟମ ଅନୁସାରେ ନାବାଳକ ଓ ନାବାଳିକାଙ୍କୁ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇପାରିବ ନାହିଁ । ସେମାନେ ବାଇକ୍ ଓ ଗାଡ଼ି ଚଳାଇବା ବେଆଇନ୍ କିନ୍ତୁ ଅଭିଭାବକଙ୍କ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ଯାଏଁ କାହାରି ଏଥିପ୍ରତି ଦୃଷ୍ଟି ପଡୁନାହିଁ ।୧୮ ବର୍ଷରୁ କମ୍ ବୟସର ଯେ କୌଣସି ଭାରତୀୟ ନାଗରିକ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ ସତ୍ତ୍ୱେ ବିନା ଲାଇସେନ୍ସ ଓ ବିନା ହେଲ୍ମେଟରେ ଶତାଧିକ ପିଲା ଗାଡ଼ି ଚଳାଉଛନ୍ତି । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକରେ ଏହାର କୌଣସି ପ୍ରଭାବ ପଡୁ ନଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରଶାସନ ଉକ୍ତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସରକାରୀ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସଚେତନାର ବାର୍ତ୍ତା ପ୍ରଦାନ ପାଇଁ ପ୍ରୟାସ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

